Odiapua.com

ଧାମନଗରରେ ବନ୍ୟା ବିପାତ୍ତ ଅଧିକାଂଶ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ କୋଚିଳା ଓ ଗେଙ୍ଗୁଟି ନଦୀବନ୍ଧ ବିପଦ ସଂକୁଳ, ସାପକାମୁଡ଼ାରେ ଜଣେ ଗୁରୁତର

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷାରେ ଧାମନଗର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଏବେ ବୈତରଣୀ ନଦୀର ବଡ଼ ବନ୍ୟା ଆସିବା ଦ୍ୱାରା ଧାମନଗର ବ୍ଲକ ଏବେ ସମ୍ପୁର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଛି । ୨ସପ୍ତାହ ଧରି ଅବିଶ୍ରାନ୍ତ ବର୍ଷା ଓ ଗୋଟିଏ ବନ୍ୟାପରେ ଚାଷଜମି ଜଳମଗ୍ନ ହୋଇଯାଇଥିବାବେଳେ ଆଜି ବୈତରଣୀ ନଦୀର ବନ୍ୟା ଦ୍ୱାରା କୋଚିଳା, ଗେଙ୍ଗୁଟି ଓ କଣ୍ଡିଆ ନଦୀରେ ବନ୍ୟା ଆସି ନାହିଁ ନଥିବା କ୍ଷତି କରିଛି । ସମସ୍ତ ଚାଷ ଜମି ବୁଡ଼ି ରହିଥିବାବେଳେ ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, ଦୋବଲ, ପଧାନୀ, ଅର୍ଜ୍ଜୁନପୁର, ଭଟ୍ଟସାହି, ହସନାବାଦ, ନଦୀଗାଁ, ବୟାଂଡ଼ିହ, କୋଠାର, ଅସୁରାଳି, ଫତେପୁର, ରଇପୁର, ପାଳସାହି, କଟ୍ଟସାହି, ଧୁଷୁରୀ, ବମକୁରା, କାଶିମପୁର ଆଦି ପଂଚାୟତ ମାନଙ୍କରେ ଚାଷଜମି ସହିତ ପନିପରିବା ଚାଷରେ ବନ୍ୟା ପାଣି ମାଡ଼ିଯାଇଛି । କୋଚିଳାନଦୀର ଉପର ସଇଲ ଠାରେ ବନ୍ଧର ଫାଟ ସୃଷ୍ଟି ହେବା ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ ସ୍ଥାନୀୟ ଲୋକ ଓ ଜଳସେଚନ ବିଭାଗର କର୍ମଚାରୀମାନେ ପହଂଚି ବନ୍ଧକୁ ବାଲିବସ୍ତାଦେଇ ମରାମତି କରିଛନ୍ତି । ସେହିପରି ଗେଙ୍ଗୁଟି ନଦୀର ରାମେଶ୍ୱରପୁର ଠାରେ ମଳିକସାହି ଓ ମହାନ୍ତିସାହି ଠାରେ ନଦୀବନ୍ଧ ଧସିବା ଦ୍ୱାରା ସେଠାରେ ବନ୍ଧକୁ ବିପଦ ରହିଥିବା ଦେଖାଦେଇଛି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ସେଠାରେ ବିପଦ ସଂକେତ ଉପରେ ଅର୍ଥାତ୍ ୨୦.୦୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଧାମନଗରର ତଳିଆ ଅଂଚଳ ମାନଙ୍କରେ ବନ୍ୟାଜଳ କ୍ରମାଗତ ଭାବେ ବଡ଼ିବାରେ ଲାଗିଛି । ବୈତରଣୀ ନଦୀର ମଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପ୍‌ରେ ବନ୍ୟାଜଳ ପ୍ରବଳ ମାତ୍ରାରେ ନିସ୍କାଷନ ହେଉଥିବାରୁ ଧାମନଗରକୁ ଆହୁରି ବିପଦ ଦେଖାଦେଇଛି । ଏହି ବନ୍ୟାଜଳ ଦ୍ୱାରା ଆନନ୍ଦପୁର- ଖଡ଼ିପଦା, ଷେଣ୍ଡପୁର- ଦୋବଲ, ସୋହଡ଼ା- ପଧାନୀ, ଜାହାଙ୍ଗିରୀ- ପଧାନୀ, ବାଲିପାଟଣା- ଫଳପୁର, ପାଟୁଳି- ଧାମନଗର, ଧାମନଗର- ଦୋବଲ, ନଦୀଗାଁ- ଧୁଷୁରୀ, ଗୋପବନ୍ଧୁନଗର- ହରିହଂସ, ପାୟାସାହି- ଅସ୍ତକ, ଖୋପସାହି- ପତ୍ରିସାହି, ଧୁଷୁରୀ- ଖଡ଼ିମାହାରା, ବେତାଳିଗାଁ- କଣ୍ଟିକା, ମିର୍ଗାହାଟକୂଳ- ଭଟ୍ଟସାହି, ବୟାଂଡ଼ିହ- ଆମ୍ବିଳିଗାଁ, ବମକୁରା- ପଛାଲୋ ଆଦି ରାସ୍ତାର ବନ୍ୟାଜଳ ପ୍ରବେଶ କରିବାଦ୍ୱାରା ରାସ୍ତାଉପରେ ଯୋଗାଯୋଗ ବିଛିନ୍ନ ହୋଇଛି । ଆଜି ଜିଲ୍ଲାପାଳ ଜ୍ଞାନ ଦାସ, ପିଡ଼ି ମଧୁସୁଦନ ଦାସ, ଏସ୍‌ଡ଼ିପିଓ ମନୋରଂଜନ ସାମଲ, ପଞ୍ଚାୟତସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଅତିରିକ୍ତ ତହସିଲଦାର ଅଭିସ୍ପା ପଟ୍ଟନାୟକ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ସାଂସଦ ମଞ୍ଜୁଲତା ମଣ୍ଡଳଙ୍କର କରୋନା ପଜିଟିଭ ଥିବାରୁ ସେ ଘରୋଇ ଚିକିତ୍ସାଧିନ ଅଛନ୍ତି ।

ତାଙ୍କର ଏକ ପ୍ରତିନିଧିଦଳ ଶରତଚନ୍ଦ୍ର ମହାନ୍ତି, ହରେକୃଷ୍ଣ ପାଢୀ, ଭାନୁପ୍ରକାଶ ପଲାଇ ଓ ନାରାୟଣଚନ୍ଦ୍ର ସାହୁଙ୍କୁ ବନ୍ୟା ସ୍ଥଳକୁ ପଠାଇ ସ୍ଥିତି ସମୀକ୍ଷା କରିବାପାଇଁ ପଠାଇଛନ୍ତି । ତେବେ ଏହି ବନ୍ୟାରେ କାଞ୍ଜିଆପାଳ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଅଧିକାଂଶ ଗାଁ ଗଣ୍ଡାରେ ପାଣି ପଶିଯିବା ଦ୍ୱାରା ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ତେବେ ବନ୍ୟାଞ୍ଚଳରେ ଓଡ଼୍ରାଫ ଟିମ୍ ଓ ଦମକଳବାହିନୀ ସଜାଗ ଥିବାରୁ ବନ୍ୟା ବିପନ୍ନମାନେ କୌଣସି ଭୟଭିତ ନହୋଇ ପ୍ରଶାସନକୁ ସୂଚନା ଦେଲେ ସେମାନେ ଅବିଳମ୍ବେ ଉଦ୍ଧାର କାର୍ଯ୍ୟ ଜାରିରଖିବେବୋଲି ପିଡ଼ି ମଧୁସୁଦନ ଦାସ କହିଛନ୍ତି । ଯେଉଁ ଗ୍ରାମରେ ଅଧିକ କ୍ଷତିଗ୍ରସ୍ତ ହେବ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବବୋଲି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ପ୍ରକାଶ କରିଛନ୍ତି । ଅବିଶ୍ରାନ୍ତ ବର୍ଷା ସାଂଗକୁ ୨ଥର ବନ୍ୟା ଏବଂ ଏବେ କରୋନା ଭୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । ତେବେ ଏହି ବନ୍ୟାରେ କରଦା ଗ୍ରାମରେ ବନ୍ୟା ପାଣି ପଶିଯାଇ ଉକ୍ତ ଗ୍ରାମର ସଞ୍ଜୁଲତା ଦାସଙ୍କୁ ଏକ ସାପ କାମୁଡ଼ିବା ଦ୍ୱାରା ସେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ବହୁକଷ୍ଟରେ ଗ୍ରାମବାସୀମାନେ ଆଣି ଧାମନଗର ଡ଼ାକ୍ତର ଖାନାରେ ପହଂଚାଇଥିଲେ । ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ପଠାଯାଇଛି ।