ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଅତି ମାତ୍ରାରେ ଗମ୍ଭୀର ଓ ଚିନ୍ତାଜନକ ହୋଇପଡ଼ିଛି। ବ୍ଲକର ୨୬ ଟି ପଂଚାୟତର ଲୋକେ ଏବେ ନାହିଁ ନଥିବା ଅସୁବିଧା ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ଏହା ହେଉଛି ପଂଚମ ବନ୍ୟା, ଯାହାର ଆଜି ତୃତୀୟ ଦିନ ଚାଲିଥିଲେ ହେଁ ସ୍ଥିତିରେ ବିଶେଷ ସୁଧାର ଆସିପାରିନାହିଁ। ଏବେ ବି ଅନେକ ତଳିଆ ଅଂଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି ଏବଂ ଗାଁ ଦାଣ୍ଡରେ ବନ୍ୟା ପାଣି ଲହଡ଼ି ମାରୁଛି।ବନ୍ୟା ପ୍ରଭାବରେ ତଳିଆ ଅଂଚଳଗୁଡ଼ିକରେ ବ୍ୟାପକ ଜଳକଷ୍ଟ ଦେଖାଦେଇଛି। ଅନେକ ସ୍ଥାନରେ ନଳକୂପ ଭିତରେ ବନ୍ୟା ପାଣି ପଶିଯାଇଥିବାରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ବ୍ୟବହାରୋପଯୋଗୀ ହୋଇପାରୁ ନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକଙ୍କୁ ନାନା ପ୍ରକାରେ ହଇରାଣ ହେବାକୁ ପଡୁଛି। ଏହି ବନ୍ୟା ବିପର୍ଯ୍ୟୟ ଭିତରେ ଏକ ମର୍ମନ୍ତୁକ ଘଟଣା ସାମ୍ନାକୁ ଆସିଛି। ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ପଂଚାୟତର ପଣ୍ଡା ସାହିର ବ୍ରଜକିଶୋର ପଣ୍ଡା (୭୦ ବର୍ଷ) ଗତ ମଙ୍ଗଳବାର ଦିନ ବନ୍ୟାଜଳରେ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ପରେ ଆଜି ବୁଧବାର ଦିନ ବମକୁରା ବିଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଓଡ୍ରାଫ ଟିମ୍ ଏବଂ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ଶବକୁ ବାହାର କରିଛନ୍ତି।ଏଭଳି ଦୁର୍ଦ୍ଦିନରେ ବନ୍ୟାବିପନ୍ନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପ୍ରତିନିଧିମାନେ ଆଗେଇ ଆସିଛନ୍ତି। ପଧାନି ପଂଚାୟତର ସରପଂଚ ଅଶୋକ କୁମାର ପୁହାଣଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଭାବିତ ଗ୍ରାମରେ ବନ୍ୟାଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ହସନାବାଦ ପଂଚାୟତରେ ପହଂଚି ବନ୍ୟା ବିପନ୍ନ ଙ୍କୁ ଭେଟିଛନ୍ତି। ସେ ସେଠାରେ ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଲୋକଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।