Odiapua.com

ଧାମନଗରରେ ବଦଳିବ ସରକାରୀ ଅଫିସ ଚିତ୍ର,ପ୍ରକଳ୍ପ ପାଇଁ ୭୯ ଲକ୍ଷ ମଞ୍ଜୁର

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ମାନଙ୍କର ନବକଳେବର ହେବ। ବ୍ଲକରେ କାର୍ଯ୍ୟକ୍ଷମ ବିଭିନ୍ନ ଆରଆଇ ଅଫିସ୍‌, ଗ୍ରାମ୍ୟ ନିର୍ମାଣ ବିଭାଗର କୋଠା ଓ ସରକାରୀ ଆବାସିକ କୋଠାର ମରାମତି ହେବ। ଏଥିପାଇଁ ୨୦୨୬-୨୭ ଆର୍ôଥକ ବର୍ଷରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ମୋଟ ୭୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଭଦ୍ରକ-୨ ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ଏହି କାର୍ଯ୍ୟ କରାଯିବ। ମଞ୍ଜୁର ଅର୍ଥରୁ ୩୯ ଲକ୍ଷ ଟଙ୍କା ନିୟମିତ ରକ୍ଷଣାବେକ୍ଷଣ ପାଇଁ ବ୍ୟୟ ହେବ। ବେତାଳିଗାଁ, କଟାସାହି, ନଦୀଗାଁ ଓ ଅସୁରାଳି ଆରଆଇ କାର୍ଯ୍ୟାଳୟ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ବୟାଙ୍ଗଡିହ ନୂଆହାଟ, ସୁଜାନସିଂହପୁର ଓ ଭଗବାନପୁରର ଜିଏଚ୍‌ଡି କୋଠା ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ଧାମନଗର-୨ ଓ ଅସୁରାଳି ସେକ୍ସନ ଅଫିସ୍‌? ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିପରି ଗୁରୁତ୍ୱପୂର୍ଣ୍ଣ କୋଠାର ମରାମତି ପାଇଁ ୩୦ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି।ଧୂଷୁରୀ ସବ୍‌-ରେଜିଷ୍ଟ୍ରାର ଅଫିସ୍ ଓ ଧାମନଗର ଗ୍ରାମ୍ୟ ନିର୍ମାଣ ସବ୍‌-ଡିଭିଜନ ଅଫିସ୍ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ଦଳାଙ୍ଗ, ନଦୀଗାଁ ଓ ଅସୁରାଳି ଆରଆଇ ଅଫିସ ସହ ଅସୁରାଳି ଗ୍ରାମ୍ୟ ନିର୍ମାଣ ସେକ୍ସନ ଅଫିସ୍ ପାଇଁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁମୋଦନ ମିଳିଛି। ସରକାରୀ ଆବାସିକ କୋଠାର ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅସୁରାଳି ଆରଡବ୍ଲ୍ୟୁ ସେକ୍ସନର ଜେଇଙ୍କ ଇ-ଟାଇପ୍ କ୍ୱାର୍ଟର ଓ ଧାମନଗରସ୍ଥିତ ଏଇଇଙ୍କ ଡି-ଟାଇପ୍ କ୍ୱାର୍ଟର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ଅର୍ଥ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଧାରିତ ବଜେଟ୍ ଠାରୁ ଅଧିକ ଅର୍ଥ ବ୍ୟୟ ନକରିବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଏକ୍ଷେତ୍ରରେ ପରାମର୍ଶ ଦିଆଯାଇଛି । ମୋଟାମୋଟି ଭାବେ, ଏହି ଅର୍ଥରେ ଧାମନଗର ଅଞ୍ଚଳର ବହୁ ସରକାରୀ କୋଠାର ଦୁର୍ବଳ ଭିତ୍ତିଭୂମି ମରାମତି ଓ ରକ୍ଷଣାବେକ୍ଷଣ ହେବ। କାର୍ଯ୍ୟଗୁଡ଼ିକ ସଠିକ୍ ଭାବେ ସମ୍ପନ୍ନ ହେଲେ ସରକାରୀ ଭିତ୍ତିଭୂମିର ଚିତ୍ର ବଦଳିବା ସହ ସାଧାରଣ ଲୋକଙ୍କୁ ସରକାରୀ ସେବା ପ୍ରଦାନରେ ଅଧିକ ସୁବିଧା ମିଳିବ ବୋଲି ସାଧାରଣରେ ଆଶା କରାଯାଉଛି।