Odiapua.com

ଧାମନଗରରେ ପୀର ବାବାଙ୍କ ଉର୍ସ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଶ୍ରଦ୍ଧାଳୁଙ୍କ ପାଇଁ କେନ୍ଦୁଆପଦା ଷ୍ଟେସନରେ ଅଟକିବ ସମସ୍ତ ଦ୍ରୁତଗାମୀ ରେଳଗାଡ଼ି

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ଅବସ୍ଥିତ ପ୍ରସିଦ୍ଧ ପୀର୍‌ବାବାଙ୍କ ଖାନ୍‌କାରେ ଅନୁଷ୍ଠିତ ହେବାକୁ ଥିବା ୪୫ ତମ ଉର୍ସ ହୁଜୁର ମୁଜାହିଦ୍‌-ଇ-ମିଲାତ୍ ଉତ୍ସବ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭା ଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ନଭେମ୍ବର ମାସ ୮ ଓ ୯ ତାରିଖ ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ପାଳନର ବିଭିନ୍ନ ପର୍ଯ୍ୟାୟ ଓ କାର୍ଯ୍ୟସୂଚୀ ଏବଂ ଏଥି ପାଇଁ ଆବଶ୍ୟକ ପ୍ରଶାସନିକ ସହଯୋଗ ସମ୍ବନ୍ଧରେ ଉର୍ସ କମିଟିର ସମ୍ପାଦକ ମହମ୍ମଦ ଇସ୍ରାଏଲ ହବିବି ଓ ସହ ସମ୍ପାଦକ ସେକ୍ ଅବଦୁର ରହେମାନ ଙ୍କ ଦ୍ୱାରା ବୈଠକରେ ଉପସ୍ଥାପନ ଆଧାରରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା। ସୂଚନା ଯୋଗ୍ୟ କି ଏହି ପ୍ରସିଦ୍ଧ ପର୍ବରେ ଜିଲ୍ଲା ସହିତ ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେଉଥିବାରୁ ଏଥିପାଇଁ ବିଶେଷକରି ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଭ୍ରାମ୍ୟମାଣ ଶୈାଚାଳୟ, ପାନୀୟ ଜଳ ଯୋଗାଣ, ସଫେଇ, ଆମ୍ବୁଲାନସ୍ ଓ ଅସ୍ଥାୟୀ ଚିକିତ୍ସା ଶିବିର, ଅଗ୍ନି ନିରାପତା, ଅବକାରୀ ଧରପଗଡ଼, ରେଳ ଷ୍ଟେସନରେ ଅଧିକ ଟିକେଟ୍ କାଉଂଟର, ଶାନ୍ତି ଶୃଙ୍ଖଳା ରକ୍ଷା, ରାସ୍ତା ପାଶ୍ୱର୍ରୁ ଉଠା ଦୋକାନୀ ଉଚ୍ଛେଦ, ରାସ୍ତା ମରାମତି, ବସ୍ ଯାତାୟତ ପାଇଁ ରାସ୍ତା ପାଶ୍ୱର୍ ଗଛର ଡାଳ କାଟିବା, ବସ୍ ରହଣି ସ୍ଥାନ ଓ ଅନ୍ଧାରଥିବା ରାସ୍ତା ଆଲୋକି କରଣ, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସହ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରମର ସଂସ୍ଥାପନ, ସି.ସି.ଟି.ଭି. ସଂଲଗ୍ନ କରାଯିବା, ମନଇଚ୍ଛା ବସ୍‌ଭଡ଼ା ଓ ଅଟୋଭଡ଼ା ବୃଦ୍ଧିକୁ ରୋକାଯିବା, ସମସ୍ତ ଯାନବାହନର ଫିଟ୍‌ନେସ୍ ପରୀକ୍ଷଣ, ଆଦି ଦିଗରେ ବୈଠକରେ ଉପସ୍ଥିତ ଜନପ୍ରତିନିଧି, ଉଚ୍ଚ ପ୍ରଶାସନିକ ଅଧିକାରୀ, କମିଟି ସଦସ୍ୟ ମାନଙ୍କ ମଧ୍ୟରେ ସବିସ୍ତୃତ ଆଲୋଚନା କରାଯାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି ମାନ୍ୟବର ସାଂସଦ, ଜିଲ୍ଲା ପ୍ରଶାସନ ଓ ଏସ୍‌.ପି.ଙ୍କ ଉଦ୍ୟମ କ୍ରମେ ଏହି ପର୍ବ ପାଳନ ଅବସରରେ ଆସିଥିବାକୁ ଥିବା ବୃହତ୍ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ଆଗମନ ଓ ପ୍ରତ୍ୟାଗମନ ସୁବିଧା ପାଇଁ ରେଳ ବିଭାଗର ଅନୁମୋଦନ କ୍ରମେ ସମସ୍ତ ଦ୍ରୁତଗାମୀ ରେଳଗାଡ଼ି କେନ୍ଦୁଆପଦା ଷ୍ଟେସନ୍‌ରେ ଅଟକିବା ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଭଦ୍ରକ ଷ୍ଟେସନ୍‌ରେ ନ ଓହ୍ଲାଇ କେନ୍ଦୁଆପଦାରେ ଓହ୍ଲାଇବାକୁ ସେମାନଙ୍କୁ ଅବଗତ କରାଯିବା ନେଇ କମିଟିର କର୍ମକର୍ତା ମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ପର୍ବରେ କୋରାନ୍ ପାଠ, ପୀରବାବାଙ୍କୁ ସାଧାରଣ ଜନତାଙ୍କ ଦର୍ଶନ, କବି ସମ୍ମିଳନୀ, ଉତ୍ସବର ବିଶେଷ ଆକର୍ଷଣ ଚଦର ଶୋଭାଯାତ୍ରା, ସାମୂହିକ ପ୍ରାର୍ଥନା, ପୀରବାବାଙ୍କ ନାତି ସାଜାଦା ନସିନ୍‌ଙ୍କ ଧାର୍ମିକ ବାଣୀ ପ୍ରଦାନ, ମୌଲାନା ମାନଙ୍କର ଆଧ୍ୟାତ୍ମିକ ବକ୍ତବ୍ୟ ପ୍ରଦାନ କାର୍ଯ୍ୟକ୍ରମ ସବୁ ଆୟୋଜନ ନେଇ ସମୟସୂଚୀ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା, କ୍ରୀଡ଼ା, ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ଏବଂ କୈଳାସ ମହାପାତ୍ର, ଧାମନଗର ବି.ଡ଼ି.ଓ. ବନ ବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ, ଏସ୍‌.ଡ଼ି.ପି.ଓ., ତ୍ରିଲୋଚନ ସେଠୀ, ଧାମନଗର ଥାନାଧିକାରୀ ଏନ୍‌.ଏ.ସି. ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ଏହି ବୈଠକରେ ଆବଶ୍ୟକମତେ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ଓ ସଂପୃକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।