Odiapua.com

ଧାମନଗରରେ ପୀରବାବାଙ୍କ ୪୨ତମ ଉର୍ଷ ଉତ୍ସବ ପାଇଁ ଶାନ୍ତିକମିଟି ବୈଠକ, ଜିଲ୍ଲା ବାହାର ଭକ୍ତଙ୍କ ଆସିବା ମନା

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାର ପ୍ରସିଦ୍ଧ ଧାମନଗର ଠାରେ ପୀରବାବା ହଜରତ ମୁଜାହିଦେ ଇ ମିଲ୍ଳତଙ୍କ ୪୨ତମ ଉର୍ଷ ଉତ୍ସବ ଚଳିତ ମାସ ୧୦ ଓ ୧୧ତାରିଖ ୨ଦିନ ଧରି ଧାମନଗର ଖାନକା ସରିଫରେ କୋଭିଡ଼ କଟକଣା ମଧ୍ୟରେ ପାଳନ ହେବ । ଏନେଇ ରୀତିନୀତି ଅନୁଯାଇ ପୀରବାବାଙ୍କ ଉର୍ଷ ଉତ୍ସବ ପାଳନ କରାଯିବ ଏବଂ ସରକାରଙ୍କର କରୋନା କଟକଣା ନିୟମ ଲାଗୁଥିବାରୁ ପ୍ରଶାସନର ନିଷ୍ପତି କ୍ରମେ ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପୀର ବାବାଙ୍କ ଭକ୍ତ ଆସିବାକୁ ଉର୍ଷ କମିଟି ପକ୍ଷରୁ ମଧ୍ୟ ବାରଣ କରାଯାଇଛି । ତେବେ ସମଦୂରତା ରକ୍ଷାକରି ଏହି ପର୍ବ ପାଳନ କରାଯିବବୋଲି ଆଜି ଶାନ୍ତିକମିଟି ବୈଠକରେ ନିଷ୍ପତି ହୋଇଛି । ଧାମନଗର ପଂଚାୟତ ସମିତି ସଭାଗୃହରେ ଶାନ୍ତି କମିଟିର ଆବାହକ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ଏହି ସଭାକୁ ସଂଯୋଜନା କରିଥିଲେ ।

ଉର୍ଷ କମିଟିର ସମ୍ପାଦକ ଏମ୍‌ଡ଼ି ଇସ୍ରାରାଇଲ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ଜିଲ୍ଳାପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ, ସିଡ଼ିପିଓ ନମିତା ଦାସ ପ୍ରମୁଖ ଯୋଗଦେଇ ପୀରବାବାଙ୍କ ଉର୍ଷ ଉତ୍ସବ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ସେନେଇ ଉଭୟ ସମ୍ପ୍ରଦାୟ ତଥା ଶାନ୍ତିକମିଟିର ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ । ଏହି ଅବସରରେ ଶାନ୍ତିକମିଟିର ସଦସ୍ୟ ରାମଚନ୍ଦ୍ର ଜେନା, ବାସୁଦେବ ତ୍ରିପାଠୀ, ପ୍ରତାପ କୁମାର ସାମଲ, ଏମ୍‌ଡ଼ି ହବିବୁର ରହେମାନ୍‌, ସେକ୍ ଜାଫର ଅଲ୍ଲୀ, ଲମ୍ବୋଦର ଜେନା ପ୍ରମୁଖ କରୋନା କଟକଣାକୁ ସାମାନ୍ୟ କୋହଳ କରି ଭକ୍ତମାନଙ୍କର ଭକ୍ତିକୁ ଲକ୍ଷକରି ୧ଘଣ୍ଟା ପ୍ରାର୍ଥନା ସମୟରେ କୋହଳ କରିବାପାଇଁ ନିବେଦନ କରିଥିଲେ । ତେବେ ଜିଲ୍ଳାପାଳଙ୍କ ନିର୍ଦ୍ଦେଷ କ୍ରମେ ଯାହା ନିଷ୍ପତି ନିଆଯିବବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଉର୍ଷ ଉତ୍ସବ ସମୟରେ ସମଦୂରତା ରକ୍ଷାକରିବା, ବିଦ୍ୟୁତ୍‌, ପାନୀୟଜଳ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନେଇ ପ୍ରଶାସନ ପକ୍ଷରୁ ଯେଉଁ ଶାନ୍ତି କମିଟି ଗଠିତ ହୋଇଛି ସେଥିମଧ୍ୟରୁ କେତେକ ସଦସ୍ୟ ମୃତ୍ୟୁ ବରଣ କରିବା ସହିତ ଅନ୍ୟ କେତେକ ସଦସ୍ୟ ଦୀର୍ଘବର୍ଷ ଧରି ଅନୁପସ୍ଥିତ ରହିବା ଓ ଅନେକ ସଦସ୍ୟ ବୈଠକକୁ ଆସୁନଥିବାରୁ ସେମାନଙ୍କୁ ଏହି କମିଟିରୁ ବାଦ ଦେଇ ନୂତନ ସଦସ୍ୟ ନେବାପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଶେଷରେ ଥାନାଅଧିକାରୀ ଶ୍ରୀବଲ୍ଳଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।