ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ନିକସ୍ଥ ୟୁକୋ ବ୍ୟାଙ୍କ ନିକଟରୁ ଦିନ ଦ୍ୱିପହର ରେ ଏକ ବାଇକ୍ ଚୋରି ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ତଦନ୍ତ କରି ଚୋରି ଗାଡ଼ିର କିଛି ଅଂଶ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୁଚନା ଥାଉକି କୋରିଗାଁ ଗ୍ରାମର ବିଜୟ ସଂଖୁଆ ନିଜ ବାଇକ୍ (ନଂ- ଓଡି ୨୨ ଏଫ ୫୪୫୯) ଯୋଗେ ଦିନ ପ୍ରାୟ ୧୧ ଟା ସମୟରେ ଧାମନଗର ସ୍ଥିତ ୟୁକୋ ବ୍ୟାଙ୍କ କୁ କୌଣସି କାର୍ଯ୍ୟରେ ଯାଇଥିଲେ। ବ୍ୟାଙ୍କ କାମ ସାରି ବାହାରକୁ ଆସି ଦେଖିଲା ବେଳକୁ ଗାଡ଼ିଟି ସେଠାରେ ନଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଥାନା ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ଚୋରି ର ପର୍ଦ୍ଦାଫାଶ ହୋଇଥିଲା। ଧାମନଗର ହବିବିନଗର ଗ୍ରାମର ସେକ ଇସଲାମ ଙ୍କ ପୁଅ ସେକ ରାଜା ବାଇକ ଟିକୁ ଚୋରି କରିଥିବା ଜଣାପଡ଼ିଥିଲା। ସେକ ରାଜା ଉକ୍ତ ଗାଡ଼ିକୁ ହବିବିନଗରର ଜଣେ ପେଶାଦାର ଚୋରା ଗାଡ଼ି ବ୍ୟବସାୟୀ ମୀରି ଶାହାବାଜ ଙ୍କ ପୁଅ ମୀରି ଛୋଟୁକୁ ବିକ୍ରି କରି ଦେଇଥିଲା। ଅଭିଯୁକ୍ତ ଛୋଟୁ ଗାଡ଼ିଟିକୁ କାଟି ଖଣ୍ଡଖଣ୍ଡ କରି ଏହାର ବିଭିନ୍ନ ଯନ୍ତ୍ରାଂଶ ଦୁଇ ଘଂଟା ମଧ୍ୟରେ ବିକ୍ରି କରିସାରିଥିଲା।ଖବର ପାଇ ଧାମନଗର ଥାନାର ଏସଆଇ ନାରାୟଣ ନାୟକ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଚୋରି ଗାଡ଼ିର ଟାଙ୍କି ଓ ଅନ୍ୟ କିଛି ଯନ୍ତ୍ରାଂଶ ଜବତ କରିଛନ୍ତି। ଏହି ମାମଲାରେ ପୋଲିସ ସେକ ରାଜାକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମୀରୀ ଛୋଟୁ ଫେରାର ଅଛି।ଥାନା ନିକଟରେ ଦିନଦ୍ୱିପହରରେ ଏଭଳି ଚୋରି ହେବା ସାଧାରଣରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି।