Odiapua.com

ଧାମନଗରରେ ଟାଟା ପାୱାର କର୍ମଚାରୀଙ୍କ ଅଚାନକ ଛଟେଇ,ଖବର ଶୁଣି ବେହୋସ୍‌, ମହିଳା କର୍ମଚାରୀ ମେଡିକାଲରେ ଭର୍ତି

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଅଚାନକ ଛଟେଇ ହୋଇଯିବା ଖବର ପରେ ଗୁରୁତର ଅବସ୍ଥାରେ ଧାମନଗର ମେଡିକାଲରେ ଭର୍ତି କରାଯାଇଛି। ମହିଳା କର୍ମଚାରୀ ହେଲେ ଦୋବଲ ପଂଚାୟତ ଇଟୁଆ ଗ୍ରାମର ମାନସୀ ବାରିକ। ସେ ପ୍ରାୟ ୪ ବର୍ଷ ଧରି ଧାମନଗର ଟାଟା ପାୱାର କଷ୍ଟମର କେୟାର ବିଭାଗରେ କାର୍ଯ୍ୟରତ ଥିଲେ। ଆଜି ଡିଉଟି ସମୟରେ ତାଙ୍କୁ ଆଉ ଚାକିରି ନଥିବା ସୂଚନା ଦିଆଯାଇଥିଲା। ଏହି ଖବର ଶୁଣି ସେ ଅସୁସ୍ଥ ହୋଇ ବେହୋସ୍ ଅବସ୍ତାରେ ତଳେ ପଡିଥିଲେ। ସହକର୍ମୀମାନେ ତୁରନ୍ତ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତି କରାଇଥିଲେ। ଘଟଣାର ସୂଚନା ପାଇ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ସଂଘର ସାଧାରଣ ସମ୍ପାଦକ ଦୀପକ ବାରିକ ଓ ଅର୍ଗାନାଇଜିଂ ସେକ୍ରେଟାରୀ ବସନ୍ତ ମହାନ୍ତି ମେଡିକାଲରେ ପହଚି ମାନସୀ ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ଟାଟା ପାୱାର ଓ ସଂପୃକ୍ତ ଏଜେନ୍ସିଙ୍କ ମନମାନି ଛଟେଇ ନୀତିକୁ ତୀବ୍ର ଭାବେ ବିରୋଧ କରିଥିଲେ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୁରୁଣା କର୍ମଚାରୀମାନଙ୍କୁ ବାହାର କରି ନୂଆ କର୍ମଚାରୀ ନିଯୁକ୍ତିର ନାମରେ ଟଙ୍କା ଆଦାୟ ପାଇଁ ଏଭଳି ଛଟେଇ କରାଯାଉଛି। ପୁରୁଣା କର୍ମଚାରୀମାନଙ୍କୁ ନୂଆ ଏଜେନ୍ସି ମାଧ୍ୟମରେ ପୁନର୍ବାର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ଯଦି ଏଭଳି ବିନା କୌଣସି ଯୁକ୍ତିସଙ୍ଗତ କାରଣରେ ଛଟେଇ ପ୍ରକ୍ରିୟା ଜାରି ରହେ, ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସମୟରେ ଧାମନଗର ସଂଘର ପାର୍ଥସାରଥୀ ଭୂୟାଁ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।