ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ପଂଚାୟତ ସମିତି ସଭାଗୃହରେ ଆଜି ଜାତୀୟ ପଂଚାୟତ ଦିବସ ପାଳିତ ହୋଇଛି। ଗ୍ରାମୀଣ ଉନ୍ନୟନ ଓ ପଂଚାୟତ ରାଜ୍ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥିବା ବେଳେ ସଭାରେ ଉପସ୍ଥିତ ଅତିଥିମାନେ ପଂଚାୟତର ଭୂମିକା ଓ ଗ୍ରାମ ଉନ୍ନୟନରେ ତାହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବଲାଙ୍ଗିରରେ ଆୟୋଜିତ ରାଜ୍ୟସ୍ତରୀୟ ପଂଚାୟତ ଦିବସ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସିଧା ପ୍ରସାରଣ ଦେଖିଥିଲେ ଓ ସରକାରଙ୍କ ଗ୍ରାମୀଣ ଉନ୍ନୟନ ନୀତି ସମ୍ପର୍କରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ବିଡ଼ିଓ ବନବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକ, ଜିପିଓ ନୃସିଂହ ଚରଣ ଦତ ଓ ବିପିସି ପ୍ରଶାନ୍ତ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଅନ୍ତ୍ୟୋଦୟ ଗୃହ ଯୋଜନା ଅନ୍ତର୍ଗତ ଲାଭାନ୍ୱିତମାନଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ। ଏଥି ସହ ଯେଉଁ ଲାଭାନ୍ୱିତମାନେ ନିର୍ଦ୍ଧାରିତ ସମୟ ସୀମାଭିତରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ ସେମାନଙ୍କୁ ଅତିରିକ୍ତ ପୁରସ୍କାର ରାଶି ପ୍ରଦାନ କରି ସମ୍ମାନିତ କରିଥିଲେ। ସଭାରେ ଜେଇ, ପିଇଓ, ଏଡିଓ ଓ ଜିଆରଏସ ସହ ବିଭିନ୍ନ ବିଭାଗର କର୍ମଚାରୀ, ପଂଚାୟତ ପ୍ରତିନିଧି ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ।