Odiapua.com

ଧାମନଗରରେ ଅଭାବନୀୟ ଘଟଣା: କଣ୍ଡିଆ ନଦୀରେ ବୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଧାମନଗର ବ୍ଲକ ଭଟସାହି ପଞ୍ଚାୟତ ଅନ୍ତର୍ଗତ ବାମଦେବପୁର ଗ୍ରାମର ବସାସାହିରେ ଆଜି ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଯାଇଛି। ନଦୀ ଗାଧୁଆ ତୁଠରେ ଗୋଡ଼ ଖସିଯିବାରୁ ୫ ବର୍ଷୀୟ ଶିଶୁ ପୁତ୍ର ରୋହନ ପଣ୍ଡାଙ୍କର ମୃତ୍ୟୁ ଘଟିଛି। ରୋହନ ସ୍ଥାନୀୟ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଏକମାତ୍ର ପୁତ୍ର ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟି ଆଜି ସକାଳ ପ୍ରାୟ ୯ଟା ସମୟରେ ଘର ନିକଟସ୍ଥ କଣ୍ଡିଆ ନଦୀକୁ ଚାଲିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ରୋହନ ଘରକୁ ନ ଫେରିବାରୁ ପରିବାରବର୍ଗ ଓ ଗ୍ରାମବାସୀ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ଦିନ ପ୍ରାୟ ୧ଟା ସମୟରେ ନଦୀରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ଧୁଷୁରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ଏହି ଦୁଃଖଦ ଖବର ପାଇ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଡାକ୍ତର ସଞ୍ଜୟ ଦାସ, ସରପଞ୍ଚ ସୀତାକାନ୍ତ ମିଶ୍ର, ପୂର୍ବତନ ସରପଞ୍ଚ ଦୟାନିଧି ମିଶ୍ର, ଯୁବ ନେତା ଶେଷଦେବ ମିଶ୍ର, ବିଶ୍ୱଜିତ୍ ସାହୁ, ଉମାକାନ୍ତ ସାହୁ, ଅମୂଲ୍ୟ ପଣ୍ଡା ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।