ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ମଙ୍ଗଳବାର ଧାମନଗର ସହରାଂଚଳରେ ତୀବ୍ର ପ୍ରତିବାଦ ଦେଖାଯାଇଛି। ସହରର ଉନ୍ନତିମୂଳକ କାର୍ଯ୍ୟରେ ଅନାବଶ୍ୟକ ବାଧା ସୃଷ୍ଟି ହେଉଥିବା ଅଭିଯୋଗରେ ପରିଷଦର କିଛି କାଉନସିଲର ଗେଟ ସାମ୍ନାରେ ଅନଶନରେ ବସିଥିଲେ। ପ୍ରତିବାଦ କାରୀମାନଙ୍କ ଅଭିଯୋଗ ଅନୁଯାୟୀ, ନଗରର ବିକାଶ କାର୍ଯ୍ୟକୁ ଗତିଶୀଳ କରିବା ପରିବର୍ତେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ନିଜସ୍ୱ ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି। ଏହାର ପରିଣାମରେ ସହରର ସମଗ୍ର ଉନ୍ନତି କାର୍ଯ୍ୟ ବାଧା ହେଉଛି ବୋଲି ସେମାନେ କହିଛନ୍ତି।ପ୍ରକାଶ ଥାଉ କି ୧ ବର୍ଷ ପାଖାପାଖି ହେବ ସହରର ରାସ୍ତା, ଡ୍ରେନ ଓ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କିତ ୪୬ ଟି ପ୍ରକଳ୍ପ ପାଇଁ ଟେଣ୍ଡର ନିମିତ ଫାଇଲ ପ୍ରେରଣ କରାଯାଇଥିଲେ ମଧ୍ୟ ଅଧ୍ୟକ୍ଷା ତାହାକୁ ଅନୁମୋଦନ ନକରି ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏହା ଫଳରେ ନଗର ଉନ୍ନତି କାର୍ଯ୍ୟ ଠପ୍ପ ହୋଇ ରହିଛି।ମଙ୍ଗଳବାର କାଉନସିଲ ଗେଟ ସାମ୍ନାରେ ଗାନ୍ଧୀ ମୂର୍ତୀ ସ୍ଥାପନ କରି ଶାନ୍ତିପୂର୍ଣ୍ଣ ଭାବେ ଅନଶନ କରିଥିଲେ। ଏହି ଅନଶନରେ ଉତମ ମହାନ୍ତି, ସ୍ୱାଧୀନ ସମ୍ବିଦ ଦାଶ, ଅନୁଶୟା ମଲ୍ଲିକ, ଜାନକୀ ଲତା ସେଠୀ, ସୁଭାଷିନୀ କର, ଏମାତୁନ ଏନ ପ୍ରମୁଖ ସାମିଲ ଥିଲେ। ପ୍ରତିବାଦ କାରୀମାନେ ଯଥାଶୀଘ୍ର ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ସହ ଦାୟିତ୍ୱବାନ ଶାସନ ବ୍ୟବସ୍ଥା ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ପ୍ରତିବାଦ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ଏନଏସି ଅଧିକାରୀ ସନ୍ତୋଷ ନାୟକ କହିଛନ୍ତି ଉଭୟ ଙ୍କୁ ବସାଇ ଘଟଣା ସମ୍ପର୍କରେ ସମାଧାନ କରିବାକୁ ନିଷ୍ପତି ନେବାକୁ ଉପରିସ୍ଥ ଅଧିକାରୀ କହିଛନ୍ତି। ତେବେ ଏପରି ପରିସ୍ଥିତି ନେଇ ଏନ ଏ ସି ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉନଥିବାରୁ ଉଚ୍ଚ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।