ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ଗୋଖାସାହୀ ଠାରେ ଚାଲିଥିବା ଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୨, ୨୦୨୫ ରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଦୀର୍ଘ ଦିନ ବିତିଯାଇଥିଲେ ସେପରି ଆଖି ଦୂର୍ଷିଆ କାମ ହୋଇନାହିଁ। କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କାର୍ଯ୍ୟ ସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ନିର୍ମାଣ କାର୍ଯ୍ୟର ମାନ ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନା ଥାଉକି ପୂର୍ବରୁ ପ୍ରତିବର୍ଷ ମରାମତି ନାମରେ ଏହି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ଏବେ ପୁଣି ଥରେ ନୂତନ କାର୍ଯ୍ୟରେ ସେହି ସମାନ ଢଙ୍ଗରେ କାର୍ଯ୍ୟ ହେଉଥିବାରୁ ଲୋକେ ଆଶଙ୍କାରେ ରହିଛନ୍ତି। ବନ୍ଧର ସୁରକ୍ଷା ଯଦି ଠିକ୍ ଭାବେ ନହୁଏ, ତେବେ ଆଗାମୀ ବର୍ଷା ଦିନେ ଏହା ଗ୍ରାମବାସୀଙ୍କ ପାଇଁ ବିପଦ ସାଜିବ।ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଅଂଚଳ ବାସୀ ଦାବି କରିଛନ୍ତି। ସୂଚନା ଥାଉକି ଉକ୍ତ ଅଂଚଳ ଏକ ବନ୍ୟାଂଚଳ । ପ୍ରତି ବର୍ଷ ବନ୍ୟା ଆସି ଉକ୍ତ ଅଂଚଳରେ ବ୍ୟାପକ କ୍ଷତି କରେ। ଏହି ନଦୀ ବନ୍ଧରେ ଫାଟ ସୃଷ୍ଟି ହେବା ସହ ବନ୍ଧ ମଧ୍ୟ ଧସି ଥାଏ। ଏ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦାବି କରି ସମସ୍ୟା ବିଷୟରେ ଜଣାଇବା ପରେ ମନ୍ତ୍ରୀଙ୍କ ଉଦ୍ୟମରେ ସେଠାରେ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ସରକାରି ନୀତିରେ ସେଠାରେ କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଥିବାବେଳେ ଠିକାଦାର ମନମର୍ଜିରେ କାମ କରୁଛନ୍ତି। ସେଠାରେ କେବଳ ଲୁହା ପାତ ପୋତି ଦେଇ ଆଉ କାର୍ଯ୍ୟ କରୁନାହାନ୍ତି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ତେବେ ତୁରନ୍ତ କାର୍ଯ୍ୟ ସାରିବାକୁ ଠିକାଦାରଙ୍କୁ ତାଗିଦ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।