ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଆନନ୍ଦପୁର ପଂଚାୟତରେ ସରକାରୀ ଯୋଜନାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୭ ନମ୍ୱର ୱର୍ଡ ର କୁମ୍ଭାର ସାହୀ ଠାରେ ନିର୍ମାଣ ହେଉଥିବା ବୈତରଣୀ ନଦୀ କୂଳରେ ସ୍ନାନ ଘାଟ ଓ ପୋଷାକ ପରିବର୍ତନ ଗୃହ ଏବେ ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି। ସରକାରୀ ସୂଚନା ଅନୁଯାୟୀ, ୩,୩୪,୫୦୦ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କିନ୍ତୁ କ୍ଷେତ୍ର ପରିଦର୍ଶନ ରୁ ଯାହା ଜଣାପଡୁଛି, ଇଟା ଉପରେ କଂକ୍ରିଟ, ବୈତରଣୀ ନଦୀ ଭଳି ଖରସ୍ରୋତା ନଦୀ କୂଳରେ ପିଲର ବା ଭିତିଭୂମି ଦୃଢ଼ କରା ଯାଇନାହିଁ। ଇଟା ଉପରେ କଂକ୍ରିଟ ପକାଇ କାମ ସାରି ଦେବାକୁ ଯୋଜନା ଚାଲିଛି। ପ୍ରକଳ୍ପର ମୁଖ୍ୟ ଅଂଶ ‘ଡ୍ରେସ ଚେଞ୍ଜ ରୁମ୍’ର କୌଣସି ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇ ନାହିଁ। ବୋରିଂ ପିଲର ଗୁଡିକ ଠିକ୍ ଭାବେ କରାଯାଇ ନଥିବାରୁ, ବର୍ଷା ଦିନେ ପ୍ରଥମ ବନ୍ୟା ଜଳରେ ହିଁ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ନଦୀ ଗର୍ଭକୁ ଚାଲି ଯିବାର ସ୍ପଷ୍ଟ ଆଶଙ୍କା ରହିଛି।ଜନସାଧାରଣଙ୍କ ଟିକସ ଟଙ୍କାରେ ଚାଲିଥିବା ଏହି କାର୍ଯ୍ୟର ମାନ ଏତେ ନିମ୍ନ ଯେ, ଏହାକୁ ନେଇ ସ୍ଥାନୀୟ ଅଂଚଳ ରେ ଅସନ୍ତୋଷ ଦେଖାଦେଇଛି । କେଉଁ ଆଧାରରେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ଏଭଳି କାର୍ଯ୍ୟକୁ ଅନୁମତି ଦେଉଛନ୍ତି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଅନିୟ ମିତତା ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ସରକାରୀ ଅର୍ଥର ବାଟମାରଣା କରୁଥିବା ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦୃଢ଼ ଦାବି କରିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ କାମ ଠିକ ହେଉଛି ,ଯେପରି ଭଲ କାମ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ।