ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରେ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ବହୁ ପ୍ରତିକ୍ଷୀତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କାର୍ଯ୍ୟ ଆସନ୍ତା ୨୩-୨୪ ଆର୍ଥିକ ବର୍ଷରେ ଆରମ୍ଭ ହେବ ଏବଂ କାର୍ଯ୍ୟ ସରିବାପରେ ଭଦ୍ରକ ଜିଲ୍ଲାର ଏବଂ ଆଖପାଖରୁ ପ୍ରାୟ ୨ହଜାର ନିଯୁକ୍ତି ସୃଷ୍ଟିହେବବୋଲି ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରକାଶ କରିଛନ୍ତି । ଗତ ଶୀତକାଳୀନ ସଂସଦୀୟ ଅଧିବେଶନରେ ଶୂନ୍ୟକାଳ ପ୍ରଶ୍ନ ମାଧ୍ୟମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉକ୍ତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନିମନ୍ତେ ଗୃହରେ ଦାବି କରିଥିଲେ । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ ଓ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏଯାବତ୍ କାର୍ଯ୍ୟ ଆରମ୍ଭ ହୋଇନଥିଲା । ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖି ଭାରତ ସରକାରଙ୍କ ବିଭାଗୀୟ ରାଜ୍ୟମନ୍ତ୍ରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଶ୍ରମ ଓ ନିୟୋଜନ ବିଭାଗ ରାମେଶ୍ୱର ତେଲି ତାଙ୍କ ପତ୍ର ସଂଖ୍ୟା କ୍ୟୁ-୨୧୦୧୧/୧/୨୦୨୧-ଇଡି-/୧୮୧୧୪୧ ତା ୩.୧୨.୨୧ ମାଧ୍ୟମରେ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇ ଯଥାଶୀଘ୍ର ଶେଷ ହେବ ବୋଲି ପ୍ରତିଶୃତି ରଖିଥିଲେ । ଉକ୍ତ ପ୍ରକଳ୍ପଟିରେ ଆନୁମାନିକ ୨ହଜାର କୋଟି ଟଙ୍କା ଅର୍ଥ ବିନିଯୋଗ ହେବାକୁ ଥିବାବେଳେ ଏହା ଦ୍ୱାରା ୨ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ପୂର୍ବରୁ ରାଜ୍ୟ ସରକାର ଚାଷୀ ମାନଙ୍କ ଠାରୁ ଇଡକୋ ମାଧ୍ୟମରେ ୨୩୫ଏକର ଜମି ଅଧିଗ୍ରହଣ କରି ତନ୍ମଧ୍ୟରୁ ୫୯ ଏକର ଜମି ଉକ୍ତ ଟେକ୍ସଟାଇଲ ପାର୍କ ନିମନ୍ତେ ଭାରତ ସରକାରଙ୍କ ଆଇଓସିଏଲକୁ ଯୋଗାଇ ଦେବା ସହିତ ଡି.ଏଫ.ଆର ପ୍ରସ୍ତୁତ କରିବାକୁ ଗତ ମାର୍ଚ୍ଚ ୧୩ତାରିଖରେ ଜଣାଇଥିଲେ ।
ଏ ସମ୍ପର୍କରେ କେନ୍ଦ୍ର ସରକାର ଆସନ୍ତା ୨୦୨୨ ଫେବୃଆରୀ ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥିତାବସ୍ଥା ଫର୍ଦ୍ଦ ପ୍ରସ୍ତୁତ କରି ବୋର୍ଡ ମାଧ୍ୟମରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମୁଦାୟ ଅର୍ଥ ବିନିଯୋଗ ନିମନ୍ତେ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଇତି ମଧ୍ୟରେ ଜମି ଅଧିଗ୍ରହଣ, ପାଚେରୀ ନିର୍ମାଣ, ମୃତିକା ପରୀକ୍ଷା, ପରିବେଶ ମଞ୍ଜୁରୀ ପ୍ରମାଣ ପତ୍ର ଓ ଜନ ଶୁଣାଣି କାର୍ଯ୍ୟ ଶେଷ ହୋଇଥିବାବେଳେ ଗତ ଜୁଲାଇ ୧୬ତାରିଖରେ ଉକ୍ତ ଶିଳ୍ପ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ସମସ୍ତ ମୌଳିକ ଆବଶ୍ୟକତା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରକାଶ ଥାଉକି, ପୂର୍ବରୁ ଚାଷୀ ମାନଙ୍କ ଠାରୁ ଅଧିଗ୍ରହଣ ହୋଇଥିବା ୨୩୫ଏକର ଜମି ଉପରେ ଧରଣୀସୁଗାର ଚିନିକଳ ପ୍ରତିଷ୍ଠା ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇ ଜନଆନ୍ଦୋଳନର ରୂପ ନେଇଥିଲା । ଉପରୋକ୍ତ ପ୍ରସଙ୍ଗରେ ଭଣ୍ଡାରିପୋଖରୀ ବିଧାୟକ ବିଧାନସଭାରେ ବାରମ୍ବାର ଦାବି ରଖୁଥିବା ବେଳେ ଶେଷରେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବିଧାୟକ, ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଉଚ୍ଚନ୍ୟାୟାଳିକଙ୍କ ହସ୍ତକ୍ଷପ ଫଳରେ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇଥିଲା । ଅଧିଗ୍ରହଣ ୨୩୫ ଏକର ଜମି ମଧ୍ୟରୁ ୫୯ ଏକର ଉପରେ ଆଇଓସିଏଲ ମାଧ୍ୟମରେ ପଲିଷ୍ଟର ଟେକ୍ସଟାଇଲ ପାର୍କ ଶିଳ୍ପ ପ୍ରତିଷ୍ଟା ହେବାକୁ ଯାଉଥିବା ବେଳେ ଅବଶିଷ୍ଟ ଜମିରେ ୫ ରୁ ଉର୍ଦ୍ଧ୍ୱ ବଭିନ୍ନ ଶିଳ୍ପ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଯୋଜନା ଅଛି । ଉକ୍ତ ଶିଳ୍ପ ପ୍ରତିଷ୍ଠା ଫଳରେ ଭଦ୍ରକ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିର ବିକାଶ ସହିତ ଗୁଜୁରାଟ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବିଭିନ୍ନ ସୁତା କମ୍ପାନୀ ମାନଙ୍କରେ କାର୍ଯ୍ୟକରୁଥିବା କୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକ ମାନେ ଉପକୃତ ହୋଇପାରିବେ । ଉକ୍ତ ଐତିହାସିକ ପଦପେକ୍ଷ ଓ ନିଜର ନିରବଚ୍ଛନ୍ନ ଉଦ୍ୟମ ପାଇଁ ଭଦ୍ରକର ଜନସାଧାରଣ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କୃତଜ୍ଞତା ଜଣାଇବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ସମସ୍ତ ସରକାରୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।