Odiapua.com

ଧାମନଗରକୁ ଛାଡ଼ୁନି ବନ୍ୟା ବିପର୍ଯ୍ୟୟ, ଏଯାଏଁ ଗାଁ ଗଣ୍ଡା ଚାଷଜମିରେ ଜମିଛି ପାଣି

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ସମେତ ଶାଖା ଗେଙ୍ଗୁଟି କୋଚିଳା ରେବ କପାଳି ଆଦି ସବୁ ଛୋଟବଡ଼ ନଦୀର ହ୍ରାସ ପାଇଛି।କିନ୍ତୁ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଆଜି ମଧ୍ୟ ଅନେକାଂଶରେ ଅପରିବର୍ତିତ ରହିଛି।ଏକାଧିକ ଜନବସତି ସାଙ୍ଗକୁ ବିସ୍ତ୍ରୁତ ଚାଷଜମି ଏବେବି ପାଣିରେ ରହିଛି। ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି, ରେବ ଓ କପାଳି ନଦୀର ଉପରମୁଣ୍ଡରେ ବର୍ଷା କମିବା ପରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି ସତ,କିନ୍ତୁ ଅନେକ ତଳିଆ ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ଅବସ୍ଥାରେ ରହିଛି। ନଦୀରୁ ପାଣି ଖସି ଯାଇଥିଲେ ସୁଦ୍ଧା ଗାଁ ଦାଣ୍ଡ ଓ ଚାଷଜମିରୁ ଜଳ ନିଷ୍କାସିତ ହୋଇପାରୁନାହିଁ। ବିଶେଷ କରି ହସନାବାଦ, ପଧାନୀ, ଅର୍ଜୁନପୁର ଓ ଖଡ଼ିପଦା,ରଇପୁର,ବମକୁରା,କୋଠାର,କାସିମପୁର,ବୟାଙ୍ଗଡ଼ିହ ଆଦି ପଂଚାୟତର ଅଧିକାଂଶ ଗ୍ରାମରେ ବନ୍ୟା ଜଳ ଜମି ରହିଥିବାରୁ ଲୋକମାନେ ଘରୁ ପଦାକୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ହସନାବାଦ ପଂଚାୟତର ଅସ୍ତକ,ବନବାଗ ଅନଲଡିହ ଓ ପଙ୍ଗଟା ଗ୍ରାମ ଭିତରେ ବନ୍ୟା ପାଣି ସ୍ଥିତି ଜାହିର କରୁଛି । ପଧାନୀ ପଂଚାୟତର କଇଥାଡିହ, କଂଟଦା, କଂଟିଦୋଳ, ଦାସପାରୀ, ଶଇଲ, ଦଶନ୍ଧିକୂଳ, ରାମରାକୂଳ ଓ ପଧାନୀ ଗ୍ରାମରେ ବନ୍ୟା ଜଳ ଜମି ରହିଥିବାରୁ ଏହି ସବୁ ଗାଁ ପ୍ରଭାବିତ ହୋଇଛି। ଅର୍ଜୁନପୁର ପଂଚାୟତର ବାଲିପାଟଣା ମୁକ୍ତା ନଗର ତରେଇ ସାହି ଆଦି ବିଭିନ୍ନ ଗ୍ରାମ ସମେତ ଖଡ଼ିପଦା ପଂଚାୟତର କାଞ୍ଜିଆପାଳ ଗ୍ରାମରେ ପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ରାସ୍ତାଗୁଡ଼ିକରୁ ବନ୍ୟା ଜଳ ଛାଡି ଯାଉଥିଲେ ସୁଦ୍ଧା ହଜାର ହଜାର ହେକ୍ଟର ଚାଷଜମି ଏବେ ବି ଜଳମଗ୍ନ ଅବସ୍ଥାରେ ରହିଛି। ପଧାନୀ, ହସନାବାଦ, ଅର୍ଜୁନପୁର, ରଇପୁର, ବମକୁରା, କାଶିମପୁର, ଫତେପୁର, ଖପରପଦା, କୋଠାର, ବୟାଙ୍ଗଡିହ, ଗଢିଆଳି, ଅସୁରାଳି, ପାଳସାହି, ଧୁଷୁରୀ ଏନଏସି, ସାହସପୁର, ସୋହଡା, ଖଡିପଦା, ଆନନ୍ଦପୁର, କରଦା ଓ ଦଳାଙ୍ଗ ଆଦି ପଂଚାୟତର ଚାଷଜମି ସ୍ଥିତି ସୋଚନୀୟ ହୋଇପଡ଼ିଛି। ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ କ୍ରମାଗତ ୪ ଥର ବନ୍ୟା ମାଡ଼ ଯୋଗୁଁ ଚାଷୀଙ୍କର ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯାହା ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି।