Odiapua.com

ଧାନ ସହ ୧୩ଟି ଫସଲର ସର୍ବନିମ୍ନ ସହାୟକ ବୃଦ୍ଧି କରାଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ କୃଷକ ମୋର୍ଚ୍ଚା

– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ରୁ ବୃଦ୍ଧି ହୋଇ ୧୮୧୫ ଧାର୍ଯ୍ୟ
– ମୁଗ ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୭୫, ବାଦାମ କ୍ୱିଂଟାଲ ପିଛା ୨୦୦ଟଙ୍କା ବୃଦ୍ଧି
– ସୋୟାବିନ କ୍ୱିଂଟାଲ ପିଛା ୩୧୧, କପା କ୍ୱିଂଟାଲ ପିଛା ୧୦୫, ମକା କ୍ୱିଂଟାଲ ପିଛା ୬୦ଟଙ୍କା ବୃଦ୍ଧି
– ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ

ଭୁବନେଶ୍ୱର, ୦୩/୦୭ (ଓଡ଼ିଆ ପୁଅ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ ଗୁଣା କରିଛନ୍ତି। ଧାନ ସହ ୧୩ଟି ଫସଲର ସର୍ବନିମ୍ନ ସହାୟକ ବୃଦ୍ଧି କରାଯାଇଛି। ଧାନର ଏମଏସପି ୬୫ ଟଙ୍କା ବୃଦ୍ଧି କରାଯାଇ ସାଧାରଣ ଧାନ କ୍ୱିଂଟାଲ ପିଛା ୧୮୧୫ ଏବଂ ଗ୍ରେଡ ଏ ଧାନ ପାଇଁ କ୍ୱିଂଟାଲ ପିଛା ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ନିଷ୍ପତି ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।

ସେହିପରି ମୁଗ ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୭୫, ବାଦାମ କ୍ୱିଂଟାଲ ପିଛା ୨୦୦, ସୋୟାବିନ କ୍ୱିଂଟାଲ ପିଛା ୩୧୧, କପା କ୍ୱିଂଟାଲ ପିଛା ୧୦୫, ମକା କ୍ୱିଂଟାଲ ପିଛା ୬୦ଟଙ୍କା ବୃଦ୍ଧି ହୋଇଛି। ମୋଦି ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିବା ନିଷ୍ପତି ଯୋଗୁଁ ସାରା ଦେଶର ଚାଷୀଙ୍କ ସମେତ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି।