Odiapua.com

ଧାନ ସଂଗ୍ରହ ୨୫ ଲକ୍ଷ କ୍ୱିଂଟାଲ ଟପିଲା ତଥାପି ଥମୁନି ଚାଷୀ ଅସନ୍ତୋଷ, ଭଦ୍ରକ ଜିଲାରେ ସରକାରୀ ଧାନ ସଂଗ୍ରହ ୫ ଶହ କୋଟି ଟଙ୍କା ଟପିବ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଧାନ ସଂଗ୍ରହ ୨୫ ଲକ୍ଷ କ୍ୱିଂଟାଲ ଟପିଲା ହେଲେ ତଥାପି ଥମୁନି ଚାଷୀ ଅସନ୍ତୋଷ । କେଉଁଠି ଟୋକନ ଲାପ୍ସକୁ ନେଇ ଚାଷୀ ସମବାୟ ସମିତିରେ ତାଲା ପକାଉଛନ୍ତି ତ କେଉଁଠି ରାସ୍ତାରେ ଧାନ ବସ୍ଥା ରଖି ରାସ୍ତା ରୋକ କରୁଛନ୍ତି । ଫଳରେ ସରକାରୀ ଧାନ ସଂଗ୍ରହକୁ ନେଇ ଜିଲାବ୍ୟାପି ତିବ୍ର ଅସନ୍ତୋଷ ଦେଖାଦେଇଛି । ଗତ ବର୍ଷ ସରକାର ଭଦ୍ରକ ଜିଲାରୁ ମାତ୍ର ୨୧ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରିଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଜିଲାରୁ ୨୫ ଲକ୍ଷ ୨୧ ହଜାର କ୍ୱିଂଟାଲ ଧାନ ସଂଗ୍ରହ କରି ସାରିଲେଣି । ଧାନ ସଂଗ୍ରହ ଅବଧି ସରି ନଥିବା ଯୋଗୁ ଆଗକୁ ସରକାର ଜିଲାରୁ ଅଧିକ ଧାନ ସଂଗ୍ରହ କରିବାର ସମ୍ଭାବନା ମଧ୍ୟ ରହିଛି । ତଥାପି ସରକାରୀ ଧାନ ସଂଗ୍ରହକୁ ନେଇ ଚାଷୀ ଅସନ୍ତୋଷ ଥମିବାର ନାଁ ଧରୁନି । ଏହି ସୁଚନା ଅନୁଯାଇ ଚଳିତବର୍ଷ ସରକାରଙ୍କୁ ଧାନ ବିକ୍ରି କରିବା ସକାସେ ଜିଲାରେ ରେକର୍ଡ ପରିମିତ ୬୯ ହଜାର ୬୫୨ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ପ୍ରାୟ ୫୩ ହଜାର ଚାଷୀ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରି ସାରିଲେଣି । ତେବେ କାଗଜପତ୍ର ତଥ୍ୟ ଅନୁଯାଇ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୩ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଥିବା କୁହାଯାଉଥିଲେ ମଧ୍ୟ ଏହି ଚାଷୀଙ୍କର ସମସ୍ତ ଧାନ ସରକାର କ୍ରୟ କରି ନାହାନ୍ତି ।

କାରଣ ଜଣେ ଚାଷୀଙ୍କ ନାମରେ ବିଭିନ୍ନ ତାରିଖରେ ଏକାଧିକ ଟୋକନ ଇସ୍ୟୁ କରାଯାଇତିବା ବେଳେ ସେଥିରୁ କିଛି ଟୋକନ ଜରିଆରେ ଚାଷୀ ସେମାନଙ୍କ ଧାନ ବିକ୍ରି କରିଥିବା ବେଳେ ଆଉକିଛି ଟୋକନ ଲାପ୍ସ ମଧ୍ୟ କରିଛି । ଯାହାକି ସରକାର ହିସାବକୁ ନେଇ ନାହାନ୍ତି । ସେହିଭଳି ସରକାର ଜିଲାରୁ ୨୫ ଲକ୍ଷ କ୍ୱିଟାଲ ଧାନ ସଂଗ୍ରହ କରି ସାରିଥିଲେ ମଧ୍ୟ ଜିଲାରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାଷୀଙ୍କ ହାତରେ ଆହୁରୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ସକ୍ରିୟ ଟୋକନ ପଡି ରହିଛି । ଯାହାକି ଆଗାମୀ ସପ୍ତାହକ ମଧ୍ୟରେ କାର୍ଯ୍ୟକାରୀ ନହେଲେ ତାହା ମଧ୍ୟ ଲାପ୍ସ କରିଯିବାର ଆଶଙ୍କା ଦେଖା ଦେଇଛି । ଯାହାକୁ ନେଇ ଚାଷୀକୂଳ ଆଶା ଏବଂ ଆଶଙ୍କାରେ ଦିନ ଗଣୁଛନ୍ତି । ସବୁଠାରୁ ବଡ କଥା ହେଲା ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିବା ବେଳେ ସେମାନଙ୍କ ଟୋକନ ଗୁଡିକ ଲାପ୍ସ କରିଯାଇଛି । ସେଗୁଡିକୁ ସରକାର ପୁଣି ରିଭେଲିଡେଟ କରି ଚାଷୀଙ୍କ ଧାନକୁ କିଣିବା ଆଶାରେ ଚାଷୀ ମଣ୍ଡିରେ ପଡି ରହିଥିବା ଧାନକୁ ଜଗି ବସିଛନ୍ତି । ତେଣେ ଆବଶ୍ୟକତା ଅନୁଯାଇ ସରକାର ଜିଲାକୁ ଅତିରିକ୍ତ ଟାର୍ଗେଟ ମଞ୍ଜୁର କରୁ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତେଣେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାଷୀ ଅଡି ସିଥିବା ବେଳେ ସରକାର ଇତିମଧ୍ୟରେ ଜିଲାରୁ ୪୩୩ କୋଟିରୁ ଉର୍ଦ୍ଧ ଟଙ୍କାର ଧାନ କ୍ରୟ କରି ସାରିଲେଣି । ଯାହାକି ଚଳିତବର୍ଷ ଜିଲାପାଇଁ ଏକ ରେକର୍ଡ ବୋଲି କୁହାଯାଉଛି । ଏହି ସୁଚନା ଅନୁଯାଇ ସରକାର ବର୍ତ୍ତମାନ ସୁଦ୍ଧା ଜିଲାରୁ ୪୩୩ କୋଟି ୩୨ ଲକ୍ଷ ୧୧ ହଜାର ୮୩୫ ଟଙ୍କାର ଧାନ କିଣି ସାରିଲେଣି । ଏହା ସତ୍ୱେ ଜିଲାରେ ଚାଷୀଙ୍କ ହାତର ପଡି ରହିଥିବା ବଳକା ଧାନ ସଂଗ୍ରହ ହେଲେ ଚଳିତବର୍ଷ ଜିଲାରେ ସରକାରୀ ଧାନ ସଂଗ୍ରହ ୫ ଶହ କୋଟି ଟପିଯିବ ବୋଲି କୁହାଯାଉଛି ।