ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନ ହାତରେ ଖରିଫ ଧାନ ସଂଗ୍ରହ ଆଉ ଗୋଟିଏ ଦିନ ରହିଲା । ଧାନକିଣା କାରବାରରେ ପ୍ରଶାସନିକ ଅବ୍ୟବସ୍ଥା ଓ ପାତର ଅନ୍ତର ନୀତିକୁ ନେଇ ଜିଲ୍ଲାରେ ଅଶାନ୍ତି ଲାଗି ରହିଛି । ଚାଷୀଙ୍କ ଧାରଣା, ବିକ୍ଷୋଭ ଓ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବା ପରେ ଆଜି ଜିଲ୍ଳାପାଳଙ୍କ ଅଫିସ ଆଗରେ ଚାଷୀମାନେ ବିଷ ବୋତଲ ଧରି ଧାରଣା ଦେବା ସହ ଆତ୍ମହତ୍ୟାର ଧମକ ଦେଇଛନ୍ତି । ବାସୁଦେବପୁର ବ୍ଲକ ନାୟକାଣିଡିହି ସେବା ସମବାୟ ସମିତି ସହ ଅନ୍ୟ ୪ଟି ସମବାୟ ସମିତିସ ର ସଭାପତି ଓ ନିର୍ଦ୍ଦେଶକଙ୍କ ସହ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଷ ବୋତଲ ଧରି ପ୍ରଶାସନକୁ ଚେତାବନୀ ଦେବା ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ଅସନ୍ତୁଷ୍ଟ ଚାଷୀମାନଙ୍କ ଅଭିଯୋଗ ହେଲା, ରାତି ପାହିଲେ ଧାନକିଣା ଶେଷ ହେବ । ନାୟକାଣିଡିଡି ସୋସାଇଟି ସମେତ ବିଦେଇପୁର, ବିରସ, ବାଲିମେଦ(ସର୍ବମଙ୍ଗଳା) ଓ ମାଟିପକା ୫ଟି ସମବାୟ ସମିତିର ଚାଷୀମାନେ ଧାରଣାରେ ସାମିଲ ହେଲା । ଏମାନଙ୍କ ଅଭିଯୋଗ ହେଲା, ଏହି ସୋସାଇଟି ମାନଙ୍କରେ ୧୯୯ଟି ଟୋକନରେ ୫ହାଜର ୮୯୦କ୍ୱିଟାଂଲ ଧାନ କିଣା ଯିବା କଥା । ତେବେ ସମିତି ଗୁଡିକ ଧାନ ନେଉନାହାନ୍ତି । ଫଳରେ ମଣ୍ଡିରେ ଓ ଚାଷୀମାନଙ୍କ ଘରେ ହଜାର ହଜାର ବସ୍ତା ଧାନ ପଡି ରହିଛି । କାଳବୈଶାଖୀ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ଗଜା ହେଲାଣି । ଧାନ ବିକ୍ରି ହୋଇପାରୁନଥିବାରୁ ବାଧ୍ୟ ହୋଇ ଆତ୍ମହତ୍ୟା ର ପନ୍ଥା ଆପଣା ନେଥିବା ଚାଷୀମାନେ କହିଛନ୍ତି । ଆଉ କେତେକ ଅଭିଯୋଗ କରିଛନ୍ତି ଯେ, ଟୋକନ ଲାପ୍ସ ହୋଇଥିବାରୁ ବହୁ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନାହିଁ । ଏଣୁ ଚାଷୀମାନେ ଦାବି କରିଛନ୍ତି ଯେ, ୬ ଓ ୭ତାରିଖରେ ଲାପ୍ସ୍ ହୋଇଥିବା ଟୋକନର ଅବଧି ବଢାଇବା ଲାଗି ଦାବି କରିଛନ୍ତି । ଚାଷୀଙ୍କ ଏଭଳି ଆନ୍ଦୋଳନ ବେଳେ ଉପସ୍ଥିତ ଅତିରିକ୍ତ ସରୋଜ ଦତ ଓ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଟ୍ୟାଗିଂ ହୋଇଥିବା ସିମ୍ବଲ ମିଲର ଜରିଆରେ ୮୦ପ୍ରତିଶତ ଧାନ ଉଠାଯାଇଥିବା ଘୋଷଣା କରିବା ସହ ଲାପ୍ସ୍ ଟୋକନ ଅବଧି ବଢାଇବାକୁ ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଏହି ଆନ୍ଦୋଳନରେ ନାୟକାଣିଡିହି ସମିତି ସଭାପତି ବିଭୁସୁନ୍ଦର ସେଠୀ, ନିର୍ଦ୍ଦେଶକ-ଜଗବନ୍ଧୁ ଖିଲାର ଓ ଅମିୟ କୁମାର ଜେନା, ଚାଷୀ-ଅମୀୟରଂଜନ ଜେନା, ଶରତ କୁମାର ଖିଲାର, ପ୍ରକାଶ ନାୟକ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।