Odiapua.com

ଧାନ ବିକି ବିଳମ୍ବରେ ମୂଲ୍ୟ ମିଳିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନରେ ଥିବା ସରକାରୀ ଧାନମଣ୍ଡିରେ ଚାଷୀ ଧାନ ବିକ୍ରି କରି ବିଳମ୍ବରେ ମୂଲ୍ୟ ପାଉଛନ୍ତି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏଥିସହିତ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିସାରିବା ପରେ ମିଲରମାନେ ଧାନ ଠିକ୍ ସମୟରେ ଉଠାଉ ନଥିବାରୁ ଚାଷୀମାନଙ୍କର ଆଇସ୍କାନ୍ ହୋଇ ପାରୁନାହିଁ। ସେଥିପାଇଁ ମଧ୍ୟ ଚାଷୀ ଠିକ୍ ସମୟରେ ଧାନର ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି। ଧାନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଦୀର୍ଘଦିନ ଧରି ପଡ଼ି ରହୁଥିବାରୁ ଧାନକୁ ଗୋରୁଗାଈ ଷଣ୍ଢ ନଷ୍ଟ କରି ଦେଉଛନ୍ତି। ସେଥିପାଇଁ ଚାଷୀ କ୍ଷତିଗ୍ରସ୍ଥ ହେଉଛି। ମଙ୍ଗଳପୁର ସେବା ସମବାୟ ସମିତିକୁ ୧୧୭୨୮ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୧୦୯୦୦ କୁଇଣ୍ଟାଲ ଧାନ କ୍ରୟ କରିସାରିଛି। ସମବାୟ ସମିତିକୁ ଆହୁରି ୩ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଗଲେ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି କୁହାଯାଇଛି। ତେବେ ତୁରନ୍ତ ସେବା ସମବାୟ ସମିତିକୁ ଟାର୍ଗେଟ ଦିଆଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

ପାଳିଅ।।ବିନ୍ଧା ପଞ୍ଚାୟତ ମିଶନ ଫେଡେରେସନ ଚଳିତ ବର୍ଷ ୨୩୭ ଚାଷୀଙ୍କର ଅନଲାଇନ କରିଥିଲେ। ତନ୍ମଧ୍ୟରୁ ୧୯୮ ଜଣ ଚାଷୀ ଧାନ ବିକ୍ରୟ କରିସାରିଥିବା ବେଳେ ଅବଶିଷ୍ଟ ୩୯ଜଣ ଚାଷୀ ଧାନ ଦେବାକୁ ଅପେକ୍ଷା କରିଛନ୍ତି। ଫେଡେରେସନକୁ ୮୩୧୬ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୭୮୫୦ କୁଇଣ୍ଟାଲ ଧାନ କ୍ରୟ କରି ସାରିଛନ୍ତି। ପାଳିଆବିନ୍ଧା ସେବା ସମବାୟ ସମିତିରେ ୮୬୧ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୬୨୧ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି। ଅବଶିଷ୍ଟ ୨୪୦ ଚାଷୀ ଧାନ ବିକିବା ପାଇଁ ଅପେକ୍ଷାରେ ଅଛନ୍ତି। ସମବାୟ ସମିତିକୁ ୨୧୨୬୬ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୧୮୬୧୩ କୁଇଣ୍ଟାଲ ଧାନ କିଣା ସରିଛନ୍ତି। ଆହୁରି ୩୬୦୦ କୁଇଣ୍ଟାଲ ଟାର୍ଗେଟ ଆବଶ୍ୟକ ରହିଛି ବୋଲି ଜଣାପଡ଼ିଛି। ଧାନ ଦେଇଥିବା ୩୫୬ଜଣ ଚାଷୀ ମୂଲ୍ୟ ପାଇ ପାରିନଥିବା ଜଣାଯାଇଛି। ଅଣ୍ଡରାଇ ସେବା ସମବାୟ ସମିତିରେ ୧୧୮୭୪ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୯୭୦୩୯ କୁଇଣ୍ଟାଲ ଧାନ କିଣାଯାଇଛି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିଲେ ମଧ୍ୟ ଠିକ୍ ସମୟରେ ମିଲରଧାନ ଉଠାଉ ନଥିବାରୁ ଚାଷୀମାନେ ସେମାନଙ୍କ ଧାନର ମୂଲ୍ୟ ପାଇ ପାରୁନାହାନ୍ତି। ତେବେ ଏହି ମଣ୍ଡି ପାଇଁ ଆହୁରି ୩ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆବଶ୍ୟକତା ଥିବା ଜଣାଯାଇଛି। ଗାନ୍ଧିନଗର ସେବା ସମବାୟ ସମିତିକୁ ୧୯୫୦୦ କୁଇଣ୍ଟାଲ ଧାନ ଟାର୍ଗେଟ ମିଳିଥିବା ବେଳେ ୧୭୨୦୨ କୁଇଣ୍ଟାଲ ଧାନ କିଣାଯାଇଛି। ବାହାବଳପୁର ମା’ ଶୁଭଦ୍ରା ମହିଳା ମହାସଂଘକୁ ୧୪୫୯୯ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୧୧୩୩୯ କୁଇଣ୍ଟାଲ ଧାନ କ୍ରୟ କରି ସାରିଛି। ମାତ୍ର ମଣ୍ଡିରେ ଧାନ ପଡ଼ି ରହିଥିବା ବେଳେ ମିଲର ଧାନ ଉଠାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଚାଷୀମାନେ ଠିକ୍ ସମୟରେ ଧାନର ମୂଲ୍ୟ ପାଇ ପାରୁନଥିବା ଜଣାଯାଇଛି।