Odiapua.com

ଧାନବିକ୍ରୀ କରି ଅର୍ଥ ନପାଇବା ପ୍ରତିବାଦରେ ତହସିଲରେ ତାଲା ପକାଇଲେ ଚାଷୀ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ସରସଦା ଗ୍ରାମର ଦୁଇଜଣ ଚାଷୀ ଧାନବିକ୍ରୀ ପ୍ରାପ୍ୟ ମିଳୁନଥିବା ଯୋଗୁଁ ଗୁରୁବାର ମଧ୍ୟାନ୍ନରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲାପକାଇ ଦେଇଥିଲେ । ପ୍ରାପ୍ତ ବିବରଣୀ ଅନୁଯାୟୀ ସରସଦା ଗ୍ରାମର ମୁରଲିଧର ଶାଶିନୀ ଗତ ଫେବୃୟାରୀ ୧୯ ତାରିଖରେ ୩୦.୫୪ କ୍ୱିଣ୍ଟାଲ ଧାନ ସରସଦା ସୋସାଇଟିରେ ଦେଇଥିଲେ । ମାତ୍ର ବୟସାଧିକ୍ୟ କିମ୍ବା କୌଣସି କାରଣରୁ ତାଙ୍କ ଆଖିର ସ୍କାନ ହୋଇପାରିଲା ନାହିଁ । ପରେ ଜିଲ୍ଲା ଯୋଗାଣଅଧିକାରୀଙ୍କ କାର୍ଯ୍ୟାଳୟର ଅନୁମତି କ୍ରମେ ପୁଅ ସୁରେନ୍ଦ୍ର କୁମାର ଶାଶିନୀଙ୍କୁ ଉତ୍ତରାଧିକାରୀ ଭାବେ ଧାନବିକ୍ରୀ ପାଇଁ ଆଖିର ସ୍କାନ କରିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସୋସାଇଟିର ସମ୍ପାଦକ ପ୍ରାପ୍ୟ ଦେବାରେ ଅହେତୁକ ବିଳମ୍ବ ସହ ବାରମ୍ବାର ଦୌଡାଇଥିଲେ । ଫଳରେ ସୁରେନ୍ଦ୍ର ଓ ତାଙ୍କ ଭାଇ ରବିନ୍ଦ୍ର ଶାଶିନୀ ଆଜି ତହସିଲଦାରଙ୍କୁ ଭେଟି ଆପତ୍ତି ଜଣାଇଥିଲେ । ମାତ୍ର ତହସିଲଦାର ତାଙ୍କ କଥା ନଶୁଣିବାରୁ ଦୁଇଭାଇ ତହସିଲଦାରଙ୍କ ଫାଟକରେ ଦିନ ପ୍ରାୟ ଗୋଟାଏ ବେଳେ ଚାବି ପକାଇ ଧାରଣା ଦେଇଥିଲେ । ଖବର ପାଇ ପୁଲିସ ପହଞ୍ôଚ ଚାବି ଖୋଲିବା ସହ ଦୁଇଭାଇଙ୍କ ସହ ଆଲୋଚନା କରିଥିଲା । ଏଥିନେଇ ସୁରେନ୍ଦ୍ର ଶାଶିନୀ ସୋସାଇଟି ସମ୍ପାଦକଙ୍କ ନାମରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।