Odiapua.com

ଧାନକ୍ରୟ ପାଇଁ ଚାଷୀଙ୍କ ମିଥ୍ୟା ପଂଜିକରଣ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବଣିଆ ପଂଚାୟତର କେତେକ ଚାଷୀ ଜିଲାପାଳଙ୍କୁ ଧାନ ବିକ୍ରିର ମିଥ୍ୟା ପଂଜିକରଣ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କାହ୍ନୁଚରଣ ସାହୁ, ଶ୍ରୀମନ୍ତ କୁମାର ପୁହାଣ, ନୀଳାମ୍ବର ଦାସ, ମାନଗୋବିନ୍ଦ ଦାଶ, ଗୌରାଙ୍ଗ ଚନ୍ଦ୍ର ପଣ୍ଡା, କ୍ଷେତ୍ରମୋହନ ବେହେରା, ଅଭିରାମ ନାୟକ, ସଂଜୟ ପଣ୍ଡା, ସୁକାନ୍ତ କୁମାର ପଣ୍ଡା ପ୍ରମୁଖ ଚାଷୀ ଦେଇଥିବା ଅଭିଯୋଗ ପତ୍ର ମୂଳେ ବଣିଆ ପଂଚାୟତର ସମବାୟ ସମିତି ବନ୍ଦ ଥିବାରୁ ସ୍ଥାନୀୟ ଜୟ ମା’ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଧାନ ବିକ୍ରିର ପଂଜିକରଣ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ମାତ୍ର ଏମ୍‌ବିକେ ଓ ସଂପାଦକ ମିଶି କେତେକ ଅସାଧୁ ଧାନ ବ୍ୟବସାୟୀ ଓ ଏମ୍‌ବିକେଙ୍କ ସ୍ୱାମୀଙ୍କ ପ୍ରରୋଚନାରେ ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା ପଂଜିକରଣ କରିଅଛନ୍ତି । ବିଶେଷକରି ବଣିଆ ପଂଚାୟତ ଲୋକଙ୍କ ନାମରେ ଧାମରା ବ୍ଲକ୍ ଓ ବିଭିନ୍ନ ମୌଜାର ଜମି ଦେଇ ମିଥ୍ୟା ପଂଜିକରଣ କରିଥିବାର ଦେଖାଯାଇଛି । ଜମି ମାଳିକଙ୍କ ସହିତ ଚାଷୀର କୌଣସି ସଂପର୍କ ନଥିବା ସ୍ଥଳେ ତାହାର ପିତା, ଭ୍ରାତା, ପୁତୁରା ଓ ବୋହୂ ବୋଲି ଦର୍ଶାଇ ଏହି ପଂଜିକରଣ ହୋଇଅଛି । ବିଶେଷକରି ଜମି ମାଲିକଙ୍କର ଉପଯୁକ୍ତ ପ୍ରମାଣପତ୍ର ନଦେଇ ଭାଗଚାଷୀ ଦର୍ଶାଇ ଏହି ପଂଜିକରଣ କାର୍ଯ୍ୟ କରାଯାଇଛି । ଏହି ଚାଷୀମାନେ ଦେଇଥିବା ପ୍ରମାଣ ମୂଳେ ବାଂଶଡା ନିବାସୀ ଶଙ୍କର୍ଷଣ ବେହେରାଙ୍କ ଜମିକୁ ଚାପୁଣ୍ଡିଆ ନାୟକସାହି ନିବାସୀ ମଙ୍ଗରାଜ ନାୟକଙ୍କ ପୁତ୍ର ବୈରାଗୀ ନାୟକ ନାମକ ଜଣେ ଚାଷୀଙ୍କ ନାମରେ ପୁତୁରା ପରିଚୟ ଦେଇ ପଂଜିକରଣ କରାଯାଇଛି । ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ବୈରାଗୀ ନାୟକ ଶଙ୍କର୍ଷଣ ବେହେରାଙ୍କ ପୁତ୍ର ହେଲେ କେମିତି । ସେହିଭଳି ଭଗବାନପୁର ନିବାସୀ ଆବୁ ନଇମର ଜମିକୁ ଭଗବାନପୁର ପେଡାସାହି ନିବାସୀ ଦୈତାରୀ ପେଡାଙ୍କ ପୁତ୍ର କୈଳାସ ପେଡା ନାମକ ଚାଷୀର ଜେଜେବାପା ଦର୍ଶାଇ ପଂଜିକୃତ ହୋଇଛି । ଏଠାରେ ପ୍ରଶ୍ନ ଉଠେ ଆବୁ ନଇମ ନାମକ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି କୈଳାସ ପରିଡାର ଜେଜେବାପା ହେଲେ କେମିତି । ସେହିଭଳି ବଣିଆର ଅଭିରାମ ଜେନାଙ୍କର ଜମିକୁ ସେହି ଗ୍ରାମର ହରିହର ସାହୁଙ୍କ ପୁତ୍ର ପ୍ରଦୀପ ସାହୁ ନାମରେ ତାଙ୍କର ନାତି ଦର୍ଶାଇ ପଂଜିକୃତ ହୋଇଛି । ଏଠାରେ ମଧ୍ୟ ପ୍ରଦୀପ ସାହୁ ଅଭିରାମ ଜେନାଙ୍କର ନାତି କିଭଳି ହେଲେ, ସେଥିନେଇ ଦୁର୍ନୀତିର ଗନ୍ଧ ସ୍ୱତଃ ବାରି ହୋଇପଡିଛି । ଏଣୁ ଏଭଳି ଦୁର୍ନୀତି ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଭୁଲ୍ ପଂଜିକୃତକୁ ରଦ୍ଦ କରାଇବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ଅବଗତ କରାଇବା ସହ ଏହାର ନକଲ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲା ଯୋଗାଣ ବିଭାଗ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟକୁ ପଠାଇଥିବାର ଜଣାପଡିଛି ।