Odiapua.com

ଧାନକ୍ରୟରେ ଅନିୟମିତତା ପ୍ରସଙ୍ଗ, ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୩ ଚାଷୀଙ୍କ ସପରିବାର ଧାରଣା

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ କ୍ରୟ ବାବଦ ଟଙ୍କା ନପାଇବା ଓ ଧାନ ଦେବାନେଇ ଟୋକନ ପାଇଥିଲେ ବି ନିର୍ଦ୍ଦିଷ୍ଟ ତାରିଖ ଯିବା ପରେ ଚାଷୀଙ୍କ ଧାନ ନନେବା ଏବଂ ତଂଚକତା କରି ନିଜ ପରିବାର ନାମରେ ଥିବା ଟୋକନ୍‌କୁ ବାତିଲ କରାଇଥିବା ବିପିସିଏ ସୁବ୍ରତ ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ତିନି ଜଣ ଚାଷୀ ସପରିବାର ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଧାରଣାକାରୀଙ୍କ ମଧ୍ୟରେ ଭଦ୍ରକ ବ୍ଲକ୍ ରାହାଞ୍ଜ ଅସୁରା ଗ୍ରାମର ଉଦୟ ବେହେରା କରିଥିବା ଅଭିଯୋଗ ମୂଳେ ସେ ୧୭ ଦିନ ହେବ ରାହାଞ୍ଜ ସେବା ସମବାୟ ସମିତିରେ ଧାନ ଦେଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ସେବା ସମବାୟ ସମିତିର ସଂପାଦକଙ୍କ କହିବା ଅନୁସାରେ ଅଗ୍ରୱାଲ ମିଲ୍‌କୁ ଧାନ ଦେଇଥିଲେ । ତେବେ ସେ ଜଣେ ମୂଲିଆ ଶ୍ରେଣୀର ଲୋକ ହୋଇଥିବାରୁ ଉକ୍ତ ଟଙ୍କା ନପାଇବା ଫଳରେ ଧାରକରଜ କରି ଚାଷ କରିôଥବା ଟଙ୍କା ନସୁଝିବାରୁ କରଜଦାତାମାନେ ତାଙ୍କୁ ତାଗିଦ କରୁଛନ୍ତି । ଏଣୁ ସେ ନିଜ ଟଙ୍କା ପାଇବା ଦାବିରେ ଧାରଣା ଦେଇଥିବାବେଳେ ଗୋରାମାଟି ଗ୍ରାମର ଅବକାଶ ସାମଲ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତାଙ୍କ ଅଭିଯୋଗ ମୂଳେ ସରକାରଙ୍କ ନିୟମ ଅନୁସାରେ ଅଗଷ୍ଟ ମାସରେ କରାଯାଇଥିବା ଅନ୍‌ଲାଇନ୍ ମୂଳେ ଫେବୃୟାରୀ ୯ ତାରିଖରେ ତାଙ୍କୁ ଧାନ ଦେବାପାଇଁ ଅନୁମତି ମିଳିଥିଲା । ମା’ ଶିବାନୀ ଗ୍ରୁପ୍ ଚାଷୀଙ୍କ ପାଖରୁ ଧାନ ନେବାର ଅନୁମତି ପାଇଥିଲେ ମଧ୍ୟ ସରକାରଙ୍କ ଟାର୍ଗେଟ୍ ଆସିନଥିବାରୁ ଧାନ ନେଇନଥିଲେ । ଏ ସଂପର୍କରେ ସେ ଅନେକଥର ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ୍ କରି ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ ଉତ୍ତର ପାଇନାହାଁନ୍ତି । ଇତିମଧ୍ୟରେ ସେ ଟୋକନ୍ ପାଇବାର ମାସେ ହୋଇ ତାହା ବାତିଲ ହୋଇଯିବାର ସମ୍ଭାବନା ରହିଛି ।

ଏଣୁ ବ୍ୟାଙ୍କରୁ ଋଣ ଆସି ଚାଷ କରିଥିବା ତାଙ୍କଭଳି ଜଣେ ଦିନ ମଜୁରିଆ ଏବେ ଟଙ୍କା ସୁଝିବାର ଡିମାଣ୍ଡ ନୋଟିସ୍ ପାଇ ଚିନ୍ତାରେ ପଡିଛନ୍ତି । ସେହିଭଳି ବନ୍ଧଗାଁ ପାଞ୍ଚପଡା ନିବାସୀ ରାମକୃଷ୍ଣ ପଣ୍ଡା ମଧ୍ୟ ଉପରୋକ୍ତ ଦୁଇ ଚାଷୀଙ୍କ ସହ ଧାରଣାରେ ସାମିଲ ହୋଇଥିଲେ । ତାଙ୍କର ଅଭିଯୋଗ ମୂଳେ ତାଙ୍କର ଓ ତାଙ୍କ ପିତାଙ୍କ ନାମରେ ଥିବା ଟୋକନ୍‌ଟିକୁ ବାବା ରାମେଶ୍ୱର ଜିପିଏଲ୍‌ଏଫ୍‌ର ସଭାନେତ୍ରୀ ଓ ବିପିସିଏ ସୁବ୍ରତ ନାୟକ ତଂଚକତା କରି ବାତିଲ କରାଇଥିଲେ । ଯେଉଁଥିପାଇଁ ସେ ନ୍ୟାୟ ନପାଇ ବିଷ ପିଇବାକୁ ବାଧ୍ୟ ହୋଇଥିଲେ । ଏଣୁ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ଓ ତାଙ୍କ ଠାରୁ ତଂଚକତା କରି ନେଇଥିବା ଧାନର ସରକାରୀ ମୂଲ୍ୟ ପ୍ରଦାନ ଓ ତାଙ୍କ ପରିବାରର ସମସ୍ତ ଟୋକନ୍ ୭ ଦିନ ମଧ୍ୟରେ ନିୟମିତ କରିବା ସହ ଅନିୟମିତତା କରୁଥିବା ସଦସ୍ୟ ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ନେଇ ସେ ଆଜି ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ୟ ଦୁଇ ଚାଷୀଙ୍କ ସହ ସପରିବାର ଧାରଣାରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଭାଗୀୟ କାର୍ଯ୍ୟାଳୟରୁ ସେମାନଙ୍କୁ କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ମିଳିନଥିବାର ଜଣାପଡିଛି ।