Odiapua.com

ଧାନକ୍ରୟରେ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ , ଭଦ୍ରକ ଜିଲାରେ ଏସ୍‌ଏଚ୍‌ଜି ଗ୍ରୁପ୍ ବିରୁଦ୍ଧରେ ବିଶୋଦଗାର, ଚାଷୀ ରାମକୃଷ୍ଣର ଆତ୍ମହତ୍ୟା ଉଦ୍ୟମ ନେଇ ଥାନାରେ ମାମଲା!

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ସରକାରୀ ଧାନ ସଂଗ୍ରହରେ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ ନୀତି ବିରୁଦ୍ଧରେ ଆଜି ଜିଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଶୋଦଗାର କରାଯାଇଛି । ବିଶେଷକରି ଧାନ କିଣିବାରେ ଅବହେଳା ପ୍ରଦର୍ଶନ କରିଥିବା ବ୍ୟକ୍ତି ଓ ଆତ୍ମହତ୍ୟା ଉଦ୍ୟମ କରିଥିବା ବନ୍ଧଗାଁ ପଂଚାୟତର ଚାଷୀ ରାମକୃଷ୍ଣ ପଣ୍ଡାଙ୍କ ଭଳି ବହୁ ଚାଷୀଙ୍କୁ ଅପମାନ କରିଥିବା ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଜେପି ଜିଲା ସଭାପତି ହେମନ୍ତ କୁମାର ପାଢୀ ସଂପୃକ୍ତ ସ୍ଥାନୀୟ ଥାନାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ବିଷୟ ଘଟଣାକୁ ଭିନ୍ନମୋଡ ନେଇଛି । ତେବେ ଆଜି ଜିଲା ବିଜେପି କାର୍ଯ୍ୟାଳୟରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଶ୍ରୀ ପାଢୀ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ସାଧାରଣ ସଂପାଦକ ଦୁର୍ଗାପ୍ରସନ୍ନ ଦାସ, ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶଙ୍କର୍ଷଣ ଜେନା, ଓବିସି ସେଲ୍‌ର ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ବିବୃତି ଅନୁସାରେ ଭାରତ ସରକାରଙ୍କ ଦ୍ୱାରା ୨୦୨୦-୨୧ ମସିହା ପାଇଁ ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଛି । ଏଥିସହିତ ଚାଷୀକୁ ବସ୍ତା ଓ ସିଲାଇ ପାଇଁ ସୂତୁଲିର ମୂଲ୍ୟ, ଘରଠାରୁ ମଣ୍ଡିକୁ ଯିବାପର୍ଯ୍ୟନ୍ତ ଧାନର ଗାଡିଭଡା ଇତ୍ୟାଦି ଦେବାପାଇଁ ସରକାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ମାତ୍ର କୌଣସି ମଣ୍ଡିରେ ଏହି ବସ୍ତା, ସୂତୁଲି ଓ ଗାଡିଭଡା ମୂଲ୍ୟ ଚାଷୀଙ୍କୁ ଦିଆଯାଉନାହିଁ ।

ମୁଖ୍ୟତଃ ଓଡ଼ିଶାରେ ଏହି ଧାନକ୍ରୟ ସେବା ସମବାୟ ସମିତିମାନଙ୍କ ଦ୍ୱାରା କରାଯିବା କଥା । କିନ୍ତୁ ଭଦ୍ରକ ଜିଲା ପ୍ରଶାସନ ଏହି ନିୟମକୁ ଭଂଗ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ସଂଗ୍ରହ କରୁଅଛି । ଯେଉଁମାନଙ୍କର ଧାନ କ୍ରୟର କୌଣସି ଅଭିଜ୍ଞତା ନାହିଁ । ଫଳରେ ସେମାନେ ବହୁମାତ୍ରାରେ ପ୍ରୀୟାପ୍ରୀତି ତୋଷଣ ଓ ଶାସକ ଦଳର ହାତବାରିସିରେ ଲିପ୍ତ ରହିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବନ୍ଧଗାଁ ପଂଚାୟତରେ ବାବା ରାମେଶ୍ୱର ମହିଳା ମହାସଂଘ ଦ୍ୱାରା ଏହି ଧାନକ୍ରୟ ପାଇଁ ପ୍ରଶାସନ ଦ୍ୱାରା ଆଦେଶ ହୋଇଛି । ଏବଂ ଏହି ପଂଚାୟତର ପାଞ୍ଚପଡା ଗ୍ରାମନିବାସୀ ରାମକୃଷ୍ଣ ପଣ୍ଡା ନାମକ ଚାଷୀଙ୍କୁ ଜାନୁଆରୀ ୨୦, ୨୨ ଓ ୨୩ ତାରିଖରେ ଧାନ ଦେବାକୁ କୁପନ ମିଳିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସଂପୃକ୍ତ ମହାସଂଘ ତାହା ନେଇନଥିଲା । ବରଂ ତାଙ୍କ ପରେ କୁପନ ପାଇଥିବା ଚାଷୀଙ୍କ ପାଖରୁ ଧାନ କ୍ରୟ କରାଯାଇଥିଲା । ଏହି ଘଟଣା ସଂପର୍କରେ ରାମକୃଷ୍ଣ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇ ଜଣେ ମହିଳା କର୍ମଚାରୀ ଓ କିଛି ଅଧିକାରୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏ ବିଷୟ କାହାକୁ କହିଲେ ମିଛ କେଶ୍‌ରେ ଫସାଇ ଦେବାପାଇଁ ଧମକ ଦେଇଥିଲେ । ଏଣୁ ସବୁ କ୍ଷେତ୍ରରୁ ବିଫଳ ହେବା ପରେ ଦୁଃଖରେ ଭାଙ୍ଗିପଡି ଋଣଭାରରେ ବୁଡି ରହିଥିବାରୁ ଉକ୍ତ ମହାସଂଘ ଆଗରେ ଗତକାଲି ବିଷ ପିଇ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଏହିଭଳି ବହୁ ସହାୟିକା ଗୋଷ୍ଠୀ ବିଭିନ୍ନ ଅନିୟମିତତାରେ ଲିପ୍ତ ରହିଛନ୍ତି ।

ପ୍ରତ୍ୟେକ ମଣ୍ଡିରେ କ୍ୱିଣ୍ଟାଲ ପିଛା ବେଆଇନ୍ ଭାବେ ୬ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟଣୀ ଛଟଣୀ କରାଯାଉଛି । ଯେଉଁ ଚାଷୀମାନେ ଅନ୍ନଦାତା ସେମାନଙ୍କୁ ଏ ପ୍ରକାର ଅତ୍ୟାଚାର ବିରୁଦ୍ଧରେ ଭାଜପା ବହୁବାର ଧାରଣା, ରାସ୍ତାରୋକ ମାଧ୍ୟମରେ ଜିଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ ମଧ୍ୟ ପ୍ରଶାସନ ଶାସକ ଦଳର ହାତବାରିସି ସାଜିଛି । ଏହି ଜିଲାର ବ୍ରହ୍ମପୁର ପଂଚାୟତର ନିତାଇ ଗୌରୀ ସ୍ୱୟଂ ସହାୟିକା ଗୋଷ୍ଠୀ, କେଦାରପୁର ପଂଚାୟତର ଓମ୍ ନମଃ ଶିବାୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସାବରଙ୍ଗ ପଂଚାୟତର ମା’ ତାରିଣୀ ପ୍ରମୁଖଙ୍କୁ ଧାନକ୍ରୟ ପାଇଁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେମାନେ ଶାସକ ଦଳର ଗୋଡାଣିଆ ସାଜି ପ୍ରକୃତ ଚାଷୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ଗତକାଲି ବିଧାନସଭାରେ ରାଜ୍ୟ ସରକାରଙ୍କ ଘୋଷଣା ମୂଳେ ଯେଉଁ ଚାଷୀମାନଙ୍କ ଧାନ କ୍ରୟ ହୋଇନାହିଁ, ସେମାନଙ୍କ ଧାନ ସରକାର କିଣିନେବେ । ତେଣୁ ଏଭଳି ପରିସ୍ଥିତିରେ ଯଦି ସମସ୍ତ ଚାଷୀଙ୍କ ଠାରୁ ଧାନ ଭଦ୍ରକ ଜିଲାରେ କିଣାନଯାଏ, ତେବେ ଏଥିପାଇଁ ଭଦ୍ରକ ଜିଲାପାଳ ଦାୟୀ ରହିବା ସହ ଭାଜପା ଆଗାମୀ ଦିନରେ ପ୍ରଶାସନକୁ ଅଚଳ କରି ରାଜରାସ୍ତାକୁ ଓହ୍ଲାଇ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ କରିବ ବୋଲି ପଛାଇବ ନାହିଁ ବୋଲି ଉପରୋକ୍ତ ନେତାମାନେ ଚେତାବନୀ ଦେଇଛନ୍ତି । ଏବଂ ରାମକୃଷ୍ଣ ଭଳି ଚାଷୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଧମକ ଚମକ ଦେବା ଓ ମିଛ କେଶ୍‌ରେ ଫସାଇ ଦେବା ଭଳି କଥା କହିବା, ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲା ସଭାପତି ଶ୍ରୀ ପାଢୀ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।