Odiapua.com

ଧାନକିଣା ଖିଲାପ ପାଇଁ ସମିତି ସମ୍ପାଦକ ନିଲମ୍ବିତ

ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ) ଧାନ କିଣାରେ ଖିଲାପ ଅଭିଯୋଗରେ ସିମୁଳିଆ ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକ ରବିନାରାୟଣ ବାରିକଙ୍କୁ ବୁଧବାର ଦିନ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଚାଷୀମାନଙ୍କର ଟୋକନ ଥିଲେ ମଧ୍ୟ ଚଣ୍ଡିଘର କୃଷି ସମବାୟ ସମିତି ପକ୍ଷରୁ ଧାନ କିଣା ହୋଇପାରି ନ ଥିଲା। ଡିସେମ୍ବର ୨, ୪, ୭, ୯ ଓ ୧୧ତାରିଖ ଦିନ ଧାନ ବିକ୍ରି ପାଇଁ ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଥିଲା ସେମାନଙ୍କ ପାଖରୁ ଧାନ କିଣା ହୋଇ ନ ପାରିବା ଫଳରେ ୯୫ଜଣ ଚାଷୀ ନିର୍ଦ୍ଧାରିତ ଦିନରେ ସେମାନଙ୍କ ଧାନ ବିକ୍ରି କରିବାରୁ ବଂଚିତ ହୋଇଥିଲେ। ଏ ନେଇ ଚଣ୍ଡିଘର ସମବାୟ ସମିତି ସମ୍ପାଦକ ଶ୍ରୀ ବାରିକଙ୍କୁ ଗତକାଲି କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ତେବେ ଇତି ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ପ୍ରକୃତ ସ୍ଥିତିର ଯାଞ୍ଚ କରିଥିଲେ। ଧାନ କ୍ରୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରୁ ରିପୋର୍ଟ ପାଇବା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଚଣ୍ଡିଘର କୃଷି ସମବାୟ ସମିତି ସମ୍ପାଦକ ଶ୍ରୀ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥି ସହିତ ଖିରକୋଣା ସମବାୟ ସମିତିର ସହ ସମ୍ପାଦକ କମଳାକାନ୍ତ ପାଢୀଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ଚଣ୍ଡିଘର କୃଷି ସମବାୟ ସମିତ ରହିବ ଏବଂ ସମିତି ସମ୍ପାଦକଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଚାଷୀଙ୍କ ଠାରୁ ଧାନ କିଣାରେ ଯେପରି କୌଣସି ଅନିୟମିତତା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।