Odiapua.com

ଧାନକିଣାରେ ଅନିୟମିତତା ସମବାୟ ସମିତି ସଂପାଦକଙ୍କୁ ନିଲମ୍ଭନ ଆଦେଶ

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନକିଣାରେ ଅନିୟମିତତା ଅଭିଯୋଗରେ ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ସେବା ସମବାୟ ସମିତି ସଂପାଦକ ନାରାୟଣ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ଭନ କରିବାକୁ ଭଦ୍ରକ ଏଆରସିଏସଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ପତ୍ରାଙ୍କ ନଂ୧୪୭୫/୨୫-୩-୨୦୨୧ ଭଦ୍ରକ ଏଆରସିଏସଙ୍କୁ ଏହି ନିର୍ଦ୍ଧେଶ ଜାରି କରାଯାଇଛି । ଏହି ଚିଠିର ଏକକିତା ନକଲ ରାଜ୍ୟ ଖାଦ୍ୟସୁରକ୍ଷା ଏବଂ ଖାଉଟିକଲ୍ୟାଣ ବିଭାଗ ମୁଖ୍ୟ ଶାସନ ସଚିବଙ୍କ ଅବଗତି ନିମନ୍ତେ ପଠାଇ ଦିଆଯାଇଛି । ଏଆରସିଏସଙ୍କୁ ଦିଆଯାଇଥିବା ଜିଲାପାଳ ଙ୍କ ଚିଠି ସହିତ ଏହି ମାମଲାରେ ସଂପାଦକଙ୍କ ବିରୁଦ୍ଧରେ ଜିଲା ଯୋଗାଣ ବିଭାଗ ତରଫରୁ କରାଯାଇଥିବା ଯୁଗ୍ମ ତଦନ୍ତ ରିର୍ପୋଟ ମଧ୍ୟ ପ୍ରଦାନ କରାଯାଇଛି । ସଂପାଦକଙ୍କ ବିରୁଦ୍ଧରେ ଅନିୟମିତା ଖବର ପାଇ ଗତ ୨୪/୨/୨୦୨୧ ରିଖ ଦିନ ଭଦ୍ରକ ସିଏସଓ ରଂଜନ ସେଠ୍ ଏବଂ ଏସିଏସଓ ଶରତ ବେହେରା ମାମଲାର ସରଜମିନ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଜଣାପଡିଥିଲା ଯେ ସଂପୃକ୍ତ ସଂପାଦକ ସରକାରଙ୍କ ନିୟମ ଫିଫୋ(ଫାଷ୍ଟ ଇନ ଫାଷ୍ଟ ଆଉଟ)ର ଅନୁପାଳନ କରିନଥିବାରୁ ବହୁ ଚାଷୀ ସେମାନଙ୍କ ଧାନ ବିକ୍ରି କରିନପାରି ସେମାନଙ୍କ ଟୋକନ ଲାପ୍ସ କରିଯାଇଥିଲା । ସେହିଭଳି ସୋସାଇଟିକୁ ଅତିରିକ୍ତ କୋଟା ମଞ୍ଜୁର କରିବା ସକାସେ ଜିଲ୍ଳା ଯୋଗାଣ ଅଫିସ ଖର୍ଚ୍ଚ ନାମରେ ଚାଷୀଙ୍କ ଠାରୁ ବେଆଇନଭାବେ ଅର୍ଥ ଆଦାୟ କରାଯାଉଥିଲା । ସେହିଭଳି ଅଧିକାଂଶ ଭେଣ୍ଡର ସ୍ଲିପ୍‌ରେ ସ୍ୱାକ୍ଷର କରାଯାଇନଥିବା ବେଳେ ଜନୈକ ମୃତଚାଷୀଙ୍କ ପୁଅଙ୍କ ନୋମିନେସନ କରିବାରେ ଚାଷୀଙ୍କୁ ହଇରାଣ ହରକତ କରିବା ଆଦି ବିଭିନ୍ନ ଅଭିଯୋଗ ହସ୍ତଗତ ହୋଇଥିଲା । ଏହି ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ହସ୍ତାନ୍ତର କରାଯିବା ପରେ ଜିଲ୍ଳା ପ୍ରଶାସନ ତରଫରୁ ସଂପୃକ୍ତ ସଂପାଦକଙ୍କୁ ତୁରନ୍ତ ନିଲମ୍ଭନ କରିବାକୁ ଭଦ୍ରକ ଏଆରସିଏସଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଅନୁରୁପ ଘଟଣାରେ ଭଦ୍ରକ ବ୍ଲକ ସାବରଙ୍ଗ ପଂଚାୟତରେ ସରକାରଙ୍କ ତରଫରୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ମା ଦୁର୍ଗା ଜିପିଏଲଏଫଙ୍କୁ ଧାନ କିଣାରୁ ବାଦ ଦେବା ସକାସେ ଭଦ୍ରକ ଜିଲାପାଳ ତାଙ୍କ ପତ୍ରାଙ୍କ ନଂ ୧୪୭୨/୨୫/୩/୨୧ ରେ ଭଦ୍ରକ ଜିଲା ସମାଜମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।