ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନକିଣାରେ ବ୍ୟାପକ ଅନୀୟମିତତା, ଚାଷୀଙ୍କ ହଟହଟା, ଟୋକନ ଅଭାବ ଦର୍ଶାଇ ଧାନକିଣା ବନ୍ଦ କରିବା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଭଣ୍ଡାରିପୋଖରୀରେ ଅନଶନ କରାଯାଇଥିଲା । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ପଞ୍ଜିକରଣରୁ ବାଦ ପଡିଥିବା ଚାଷୀ, ଟୋକନ ପାଇ ମଣ୍ଡିକୁ ଟାର୍ଗେଟ ନଥିବା ଦର୍ଶାଇ ହେତୁ ଧାନ ବିକ୍ରୟ କରିପାରିନଥିବା ଚାଷୀ ଓ ବେପାରୀମାନଙ୍କ ଦ୍ୱାରା ଶୋଷିତ ହେଉଥିବା ଚାଷୀମାନେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଯାଇ ବସଷ୍ଟାଣ୍ଡରେ ଅନଶନରେ ବସିଥିଲେ । ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆବଶ୍ୟକୀୟ ଟାର୍ଗେଟ ପ୍ରଦାନ କରାଯିବା; ଧାନ କ୍ରୟର ସାପ୍ତାହିକ ଦିବସକୁ ବୃଦ୍ଧି କରିବା; ସମୟ ଅତିକ୍ରାନ୍ତ ଟୋକନର ବୈଧତା ବୃଦ୍ଧି କରିବା; ଧାନ କ୍ରୟ କ୍ଷେତ୍ରରେ ପାତରଅନ୍ତର ନୀତିକୁ ବନ୍ଦ କରାଯିବା; କଟନିଛଟନୀ ବନ୍ଦ କରାଯିବା; ଚାଷୀମାନଙ୍କର ନାମ ପଞ୍ଜିକରଣରେ ହୋଇଥିବା ବ୍ୟାପକ ତ୍ରୁଟି ଓ ଅନିୟମିତତାର ନିରପେକ୍ଷ ଯାଞ୍ଚ କରାଯାଇ ସଂଶୋଧନ କରାଯିବା; ଯାଞ୍ଚ ପରେ ଧାନ ବିକ୍ରି କରିବାରୁ ବଞ୍ଚିତ ଚାଷୀମାନଙ୍କର ଧାନ କ୍ରୟ କରାଯିବା ସହ ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ୯ଦଫା ଦାବି କରାଯାଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ, ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରା ପ୍ର୍ରମୁଖ ଅନଶନରତ ଚାଷୀଙ୍କ ନିକଟକୁ ଆସି ୯ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।
ଟୋକନ ଅବଧି ଶେଷ ହୋଇ ଧାନବିକ୍ରୟ କରିପାରିନଥିବା ଚାଷୀଙ୍କ ଗଚ୍ଛିତ ଧାନର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଅଧିକାରୀମାନେ ରିପୋର୍ଟ ଦୋ ପରେ ଟୋକନଗୁଡିକର ପୁନଃକାର୍ଯ୍ୟକ୍ଷମ କରିବାକୁ ସରକାରଙ୍କୁ ସରକାରଙ୍କୁ ସୁପାରିସ କରାଯିବା ବୋଳି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଟାର୍ଗେଟ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଇତି ମଧ୍ୟରେ ବିଭିନ୍ନ ମଣ୍ଡିରେ ଯାଞ୍ଚକାର୍ଯ୍ୟ ଶେଷ ହୋଇଥିବା ଅଧିକାରୀମାନେ ପ୍ରକାଶ କରିଥିଲେ । ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ନିର୍ମଳ କର, ବସନ୍ତ ରାଉତ, ସତ୍ୟବ୍ରତ ଦାସ, ତପସ୍ୱିନୀ ମହାପାତ୍ର, ରୁକ୍ମଣୀ ଦାସ, ପ୍ରଦ୍ୟୁମ୍ନ ସେନାପତି, କରୁଣାକର ସାହୁଙ୍କ ସମେତ ବହୁ ନେତା ଓ ଚାଷୀମାନେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।