Odiapua.com

ଧାନକିଣାରେ ଅନିୟମିତତା ନେଇ ବିଜେପିର ଆନ୍ଦୋଳନ ପରେ ଆଲୋଚନାକୁ ଆସିଲେ ବିଭାଗୀୟ ଅଧିକାରୀ, ବିଭିନ୍ନ ଦାବି ଉପରେ ଅବଗତ କଲେ ନିର୍ବାଚନ ମଣ୍ଡଳୀ ନେତାଙ୍କ ସମେତ ପ୍ରତିନିଧି ଦଳ

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନକିଣାରେ ଅନିୟମିତତା ଓ ଚାଷୀ ଶୋଷଣର ଶିକାର କ୍ଷେତ୍ରରେ ସରକାରଙ୍କ ଉଦାସୀନତା ମନୋଭାବ ଚରମ ସୀମାରେ ପହଞ୍ଚିଛି ।ସରକାରଙ୍କ ଜଟିଳ ପ୍ରକ୍ରିୟା ଯୋଗୁଁ ଚାଷୀମାନେ ଧାନବିକ୍ରି କରି ନପାରି ନିଜର କଷ୍ଟ ଉତ୍ପାଦିତ ଧାନକୁ ଜଗି ଆଜି ଖୋଲା ଆକାଶ ତଳେ ବସି ରହିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଶୀତତାପ ନିୟନ୍ତ୍ରଣ କୋଠରୀରେ ବସି ପ୍ରିୟାପ୍ରୀତି ତୋଷଣ ନୀତିରେ ସରକାରଙ୍କ ବ୍ୟବସ୍ଥାକୁ ସମର୍ଥନ ପୂର୍ବକ ନିଜର ଦୁର୍ବଳତାକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି । ମଣ୍ଡିରେ ମନ୍ୟୁଷ୍ୟକୃତ ସମସ୍ୟା ତଥା ମିଲର, ଯୋଗାଣ ବିଭାଗ,ସମବାୟ ବିଭାଗ, ଓ ଶାସକ ଦଳର ନେତାମାନଙ୍କର ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଛି । ଏହିଭଳି ଅନେକ ସମସ୍ୟା ମଧ୍ୟରେ ଚାଷୀ ପେଷିହେଉଥିବା ବେଳେ ମଣ୍ଡିଚାଲ ଅଭିଯାନ ମାଧ୍ୟମରେ ସାଉଁଟି ଥିବା ଅଭିଜ୍ଞତା ଆଧାରରେ ସରକାରଙ୍କ ଅପାରଗତାର ସ୍ପଷ୍ଟ ପ୍ରମାଣକୁ ନେଇ ଗତ ୪ ତାରିଖରେ ଭଣ୍ଡାରିପୋଖରୀ ବିଧାନସଭାମଣ୍ଡଳୀ ବିଜେପି ପକ୍ଷରୁ ବିଧାନସଭା ମଣ୍ଡଳୀ ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ ।ଏହି ପ୍ରତୀକାତ୍ମକ ଧାରଣା ସ୍ଥଳୀରେ ଭାଜପା ପ୍ରଦେଶ ସଭାପତି ମାନ୍ୟ ସମୀର ମହାନ୍ତି,ରାଜ୍ୟ ବିଧାନସଭାର ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ସମେତ ଅନ୍ୟ ରାଜ୍ୟ ନେତୃବୃନ୍ଦ ଯୋଗଦେଇ ସରକାରଙ୍କ ବ୍ୟବସ୍ଥାକୁ ଭର୍ତ୍ସନା କରିବା ସହ ଚାଷୀ ମାନଙ୍କ ସ୍ୱାର୍ଥକୁ ସରକାର ଦୃଷ୍ଟି ଦେଇ ଧାନକିଣାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ନିବେଦନ କରିଥିଲେ ।

ପରେ ଜିଲ୍ଲାଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଯୋଗାଣ ଅଧିକାରୀ ଧାରଣାସ୍ଥଳକୁ ଆସି ଚାଷୀମାନଙ୍କର ସମସ୍ୟାକୁ ନେଇ ୧୧ ଦଫା ଦାବି ସମ୍ବଳିତ ଦାବିପତ୍ରକୁ ଗ୍ରହଣ କରିବା ସହ ବିସ୍ତୃତ ଆଲୋଚନା ପାଇଁ ଏକ ସମନ୍ୱୟ ବୈଠକ ଡାକିବାକୁ ପ୍ରତିଶୃତି ଦେଇଥିଲେ । ସେହି ଅନୁସାରେ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠଙ୍କ ଦ୍ୱାରା ଆହୁତ ଏକ ସମନ୍ୱୟ ବୈଠକରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ କେଦାର ନାୟକ,ଶରତ ବେହେରା,ସମବାୟ ବିଭାଗର ଅତିରିକ୍ତ ନିବନ୍ଧକ ସନ୍ତୋଷ ଦାସ, ସମବାୟ ନିରୀକ୍ଷକଙ୍କ ସମେତ ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀନାରାୟଣ ଧଳ ଓ ଚାଷୀ ପ୍ରତିନିଧିମାନେ ଉପସ୍ଥିତ ରହି ଦାବି ଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀମାନଙ୍କ ଅଭିଯୋଗକୁ ଆଧାର କରି ଓ ସଂଗୃହିତ ସୂଚନା ଅନୁଯାୟୀ ପଞ୍ଜିକରଣଗତ ତ୍ରୁଟି ଓ ଦଳୀୟ ଆଧାରରେ ପାତରଅନ୍ତର ନୀତି ଯୋଗୁଁ ସମଗ୍ର ଭଦ୍ରକ ଜିଲ୍ଲାରୁ ପାଖାପାଖି ୨୩୦୦ ଚାଷୀ ପଞ୍ଜିକରଣରୁ ବାଦପଡିଥିବା ବେଳେ କେବଳ ଭଣ୍ଡାରିପୋଖରୀ ବ୍ଲକରେ ୧୭୬୮ ଚାଷୀ ପଞ୍ଜିକରଣରୁ ବାଦ ପଡିଛନ୍ତି । ଏହାବାଦ ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ ବ୍ୟବସ୍ଥା ପାଇଁ ଟୋକନ ପାଇ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖରେ ଚାଷୀ ଧାନ ବିକ୍ରି କରିପାରୁନାହିଁ ।ଏହାବାଦ ମଣ୍ଡି ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କେଉଁଠି ଚଟାଣ ଓ ପାଲ ନାହିଁ ତ କେଉଁଠି ପାନୀୟ ଜଳ ଓ ବିଜୁଳିର ବ୍ୟବସ୍ଥା ହୋଇପାରିନାହିଁ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଧାନ ଅଖା, ସୁତୁଲୀ, ଶ୍ରମିକ ଖର୍ଚ୍ଚ,ଯାତାୟାତ ଖର୍ଚ୍ଚକୁ ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚା ଯାଉନାହିଁ ।ଏଫଏକ୍ୟୁ ଆଳରେ କଟନି ଛଟନିରେ ୫ କ.ଗ୍ରା. ରୁ ୧୦ କି.ଗ୍ରା. ପର୍ଯ୍ୟନ୍ତ ଧାନ କଟାଯାଉଛି ।

କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଞ୍ଚିତ ହେଉଛନ୍ତି ।ଏହିପରି ଅନେକ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ପରୋକ୍ଷରେ ଏହାକୁ ସ୍ୱୀକାର କରିବା ସହ ବ୍ୟବସ୍ଥାରେ ତ୍ରୁଟି ନାମରେ ଆଡେଇ ଯାଇଥିଲେ ମଧ୍ୟ କେତେକାଂଶରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଭାଗୀୟ ସୂଚନା ଅନୁସାରେ ତ୍ରୁଟିଗତ ପଞ୍ଜିକରଣ ଦ୍ୱାରା ବାଦ ପଡିଥିବା ପ୍ରକୃତ ଚାଷୀ ମାନଙ୍କୁ ସରକାରୀ ଧାନକିଣା ପକ୍ରିୟାରେ ପୁନଃ ସାମିଲ କରିବା ନେଇ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଚିଠି ନଂ ୩୬୨/୨୧-୦୧-୨୦୨୧ ରେ ଏକ ପତ୍ର ଯୋଗାଣ ବିଭାଗର ସଚିବ ଭି.ଭି. ଯାଦବଙ୍କୁ ନିରୀକ୍ଷଣ ପାଇଁ ପଠେଇଛନ୍ତି । ସେହିପରି ଟୋକନ ଓ ଟାର୍ଗେଟ ମଧ୍ୟରେ ଅନେକ ଫରକ ରହୁଥିବାରୁ ମଣ୍ଡି ଗୁଡିକୁ ଧାନକିଣା ପାଇଁ ସପ୍ତାହରେ ଆଉ ଏକ ଦିନ ଅତିରିକ୍ତ ଓ ବଳକା ଧାନର ବିକ୍ରୟ ପାଇଁ ଟାର୍ଗେଟକୁ ମଧ୍ୟ ବଢାଇବାକୁ ପ୍ରତିଶୃତି ଦେଇଥିଲେ । ସମବାୟ ବିଭାଗର ସ୍ୱଚ୍ଛତା ଦିଗରେ କେତେକ ଦାବିକୁ ଗ୍ରହଣ କରି ଦୁର୍ନୀତିଗ୍ରସ୍ତ ସମବାୟ ସମ୍ପାଦକ ଓ ଡିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯିବା ସହ ଅନ୍ୟାନ୍ୟ ଦାବି ଗୁଡିକୁ ବିଚାରକୁ ନେଇ ତଦନ୍ତ କରିବେ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ଆଶ୍ୱାସନା ଦେଇଥିଲେ ।ଏହି ବୈଠକରେ ଚାଷୀ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନିର୍ମଳ ଚନ୍ଦ୍ର କର,ପୂର୍ଣ୍ଣଚନ୍ଦ୍ର ଖିଲାର,ପ୍ରକାଶ ମହାପାତ୍ର,ନବକିଶୋର ବଳ, ଖଗେଶ୍ୱର ବେହେରା,ଅକ୍ଷୟ ନାୟକ,ରବିନାରାୟଣ ସାହୁ,ବନମାଳୀ ଜେନା,ଜୟକୃଷ୍ଣ ନାୟକ,ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।