Odiapua.com

ଧସୁଛି ଗେଙ୍ଗୁଟି ନଦୀବନ୍ଧ, ରକ୍ଷଣାବେକ୍ଷଣ ଅଭାବରୁ ସୃଷ୍ଟି ହେଲାଣି ବିରାଟ ଘାଇ, ବାଲିବସ୍ତା ଭରସାରେ ଜଳସମ୍ପଦ ବିଭାଗ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ନଦୀବନ୍ଧ ଗୁଡ଼ିକର ସୁଦୃଢ଼ୀକରଣ ଓ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ବିଭାଗୀୟ ଅଧିକାରି ଓ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ନିର୍ମାଣର କିଛି ଦିନ ପରେ ନଦୀବନ୍ଧ ଗୁଡ଼ିକ ବିପଜ୍ଜନକ ଭାବେ ଧସିବାରେ ଲାଗିଛି। ଧାମନଗର ବ୍ଲକ୍ ଗେଙ୍ଗୁଟି ନଦୀବନ୍ଧ ଜ୍ୱଳନ୍ତ ଉଦାହରଣ ପାଲଟିଛି।ମୁସ୍ତଫାପୁର ପଂଚାୟତର ଗୋବିନ୍ଦାଗଡ଼ିଆରୁ ରାମେଶ୍ୱରପୁର ପର୍ଯ୍ୟନ୍ତ ନଦୀବନ୍ଧର ମରାମତି ଓ ପ୍ରଶସ୍ତିକରଣ ପାଇଁ ପ୍ରାୟ ୫ ବର୍ଷ ତଳେ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସରକାରୀ ଆକଳନ ଅନୁଯାୟୀ ଏହି ନଦୀବନ୍ଧ ସୁଦୃଢ଼ ହେବା ଫଳରେ ସ୍ଥାନୀୟ ଅଂଚଳବାସୀ ବନ୍ୟା ଦାଉରୁ ରକ୍ଷା ପାଇବେ ବୋଲି ଆଶା ରଖିଥିଲେ। ମାତ୍ର ପ୍ରକଳ୍ପ ଶେଷ ହେବା ପରେ ବିଭାଗ ପକ୍ଷରୁ ପ୍ରତିବର୍ଷ ଯେଉଁ ନିୟମିତ ରକ୍ଷଣାବେକ୍ଷଣ କରାଯିବା କଥା, ତାହା ସମ୍ପୂର୍ଣ୍ଣ ଆଖିବୁଜି ଦିଆଗଲା। ଫଳରେ ସରକାରୀ ପାଣ୍ଠିର ଅପବ୍ୟୟ ହେବା ସହ ଏବେ ବନ୍ଧର ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ଗୋବିନ୍ଦାଗଡ଼ିଆ, ବେଲମଳା, ରଘୁନାଥପୁର, ଦୋବଲ, ସୋଧ ଏବଂ କୋଲେଇପଦା ଦେଇ ରାମେଶ୍ୱରପୁର ଯାଏଁ ଲମ୍ବିଥିବା ପ୍ରାୟ ୪ କିଲୋମିଟର ଦୀର୍ଘ ଏହି ନଦୀବନ୍ଧରେ ସ୍ଥାନେ ସ୍ଥାନେ ବିରାଟ ବିରାଟ ଗର୍ତ ଓ ଘାଇ ସୃଷ୍ଟି ହୋଇଛି। ବର୍ଷା ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ଗଡ଼ି ଗଡ଼ି ବନ୍ଧର ମାଟି ଧୋଇଯାଇଛି। କେତେକ ସ୍ଥାନରେ ଏହି ଘାଇ ନଦୀବନ୍ଧର ମଝି ଭାଗ ପର୍ଯ୍ୟନ୍ତ ବ୍ୟାପିଗଲାଣି, ଯାହା ଗମନାଗମନ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ସମଗ୍ର ୪ କିଲୋମିଟର ରାସ୍ତାରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ସ୍ଥାନରେ ଏଭଳି ସଙ୍କଟଜନକ ସ୍ଥିତି ଉପୁଜିଛି।ବୈତରଣୀ ନଦୀର ବଳକା ଜଳ ଶାଖା ନଦୀ ‘ଗେଙ୍ଗୁଟି’ ଦେଇ ପ୍ରବାହିତ ହୋଇଥାଏ। ବର୍ଷା ଋତୁରେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଲେ ଗେଙ୍ଗୁଟିରେ ହଠାତ୍ ଅତ୍ୟାଧିକ ପାଣି ଆସିଥାଏ। ଏହି ନଦୀଟି ସମ୍ପୂର୍ଣ୍ଣ ଭାବେ ଅଙ୍କାବଙ୍କା ହୋଇଥିବାରୁ ବନ୍ୟା ଜଳର ପ୍ରଚଣ୍ଡ ସ୍ରୋତ ସିଧାସଳଖ ନଦୀବନ୍ଧ ଉପରେ ଚାପ ପକାଇଥାଏ। ପୂର୍ବରୁ ମଧ୍ୟ ବେଲମଳାରୁ ରାମେଶ୍ୱରପୁର ମଧ୍ୟରେ ଏକାଧିକ ବାର ଭୟଙ୍କର ଘାଇ ସୃଷ୍ଟି ହୋଇ ଆଖପାଖ ଅଂଚଳ ଜଳମଗ୍ନ ହୋଇଥିବାର ତିକ୍ତ ଅନୁଭୂତି ରହିଛି। ଏହି ସମ୍ବେଦନଶୀଳ ସ୍ଥିତି ସମ୍ପର୍କରେ ଜଳସମ୍ପଦ ବିଭାଗର ଏସ ଡି ଓ ଶମ୍ଭୁ ନାଥ ମଲିକ କହିଛନ୍ତି, ଆମେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ବର୍ତମାନ ବର୍ଷା ଦିନ ଚାଲିଥିବାରୁ କାଦୁଅ ଯୋଗୁଁ ସୂଖିଲା ମାଟି ମିଳିବା ସମ୍ଭବ ହେଉନାହିଁ, ଏବଂ ବନ୍ଧର ସ୍ଥାୟୀ ମରାମତି କାମ ମଧ୍ୟ ଏହି ସମୟରେ କରିବା କଷ୍ଟକର। ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଧସିଥିବା ଏବଂ ଘାଇ ହୋଇଥିବା ସ୍ଥାନଗୁଡ଼ିକରେ ବାଲି ବସ୍ତା ପକାଇ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଶାସନ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ସ୍ଥାୟୀ ପ୍ରତିକାର କରିବାକୁ ନଦୀକୂଳିଆ ଲୋକମାନେ ଦାବିକରିଛନ୍ତି।