Odiapua.com

ଧଳା ଜହର କବଳରେ ଯୁବପୀଢ଼ି

ଜଗତସିଂହପୁର -୧୨/୮ (ଓଡ଼ିଆ ପୁଅ/ନୃସିଂହ ବାରିକ) – କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଗାଡିମଟର ଚଳାଚଳ, ସଭାସମିତି, ଭୋଜିଭାତ, ଜନସମାଗମ ଉପରେ ଲାଗିଛି କଟକଣା।ରାସ୍ତା, ଛକଜାଗା ସବୁଆଡେ ଶୁନ୍ ଶାନ୍। ଏଭଳି ସ୍ଥିତିରେ ଜଗତସିଂହପୁର ଜିଲ୍ଲାରେ ଚୋରା ନିଶା ବେପାରୀ ସକ୍ରିୟ ହୋଇ ପଡିଛନ୍ତି। ବିଶେଷ କରି ବ୍ରାଉନ ସୁଗାର କାରବାର ଜିଲ୍ଲାର ଗଳି କନ୍ଦିରେ ଚାଲୁଥିବାର ଚର୍ଚ୍ଚା ଏବେ ଜୋର ଧରିଛି।ସ୍ଥାନୀୟ ଯୁବକ ଓ ଛାତ୍ର ମାନଙ୍କୁ ଗ୍ରାସ କରୁଛି ଏହି ମାରାତ୍ମକ ମାଦକ ଦ୍ରବ୍ୟ। ଅବକାରୀ ବିଭାଗ ଏବଂ ପୋଲିସ ଯେତେ ସିଜ କରୁଥିଲେ ମଧ୍ୟ ଦିନକୁ ଦିନ ନୂଆ ନୂଆ ବ୍ରାଉନ ସୁଗାର ବ୍ୟବସାୟୀ ମୁଣ୍ଡ ଟେକୁଛନ୍ତି। ଯାହା ଫଳରେ ଏହି ଭୟଙ୍କର ନିଶାର ଶିକାର ହେଉଛନ୍ତି ଅଧିକ ରୁ ଅଧିକ ଛାତ୍ର ସମାଜ ଓ ଯୁବପୀଢ଼ି। ତେବେ ରବିବାରଦିନ ଜଗତସିଂହପୁର ସହର ଉପକଣ୍ଠ ଇଟାପଡା ଛକ ରୁ ଜଣେ ବ୍ୟବସାୟୀକୁ ଗିରଫ କରିବା ସହିତ ତାଠାରୁ ୪୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜଗତସିଂହପୁର ଅବକାରୀ ବିଭାଗ। ଯାହାର ଆନୁମାନିକ ମୁଲ୍ୟ ୪ ଲକ୍ଷ ୩୦ ହଜାର ଟଙ୍କା ଆକଳନ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନିରଞ୍ଜନ ମହାନ୍ତି। ନିରଞ୍ଜନ ଏକାକୀ କାରବାର ଚଳାଇଥିଲେ ନା ଆଉ କେଉଁମାନେ ତାଙ୍କ ସହ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ଅନୁସଂଧାନ ଜାରିରହିଛି। ଅନ୍ୟପଟେ ବ୍ରାଉନ ସୁଗାର କାରବାର ଜଗତସିଂହପୁର ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଅବକାରୀ ବିଭାଗ ଆଗକୁ ଅଧିକ ସକ୍ରିୟ ହେବବୋଲି କହିଛନ୍ତି ଅବକାରୀ ବିଭାଗ ଅଧିକାରୀ ପ୍ରତାପ କୁମାର ଦାଶ।