Odiapua.com

ଧଳାଜହର ମାୟାରେ ଭଦ୍ରକର ଯୁବପିଢି, ପୁତ୍ରର ଗଳା କାଟିଲା ଅତିଷ୍ଠ ପିତା

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଧଳାଜହର ରୂପୀ ବ୍ରାଉନସୁଗାର ଯୁବଗୋଷ୍ଠୀକୁ ଏଭଳି ବିପଦଗାମୀ କରିଛି ଯେ ଜଣେ ୧୮/୧୯ ବର୍ଷର ଯୁବକ ଏହାର ଜାଲରେ ପଡି ଘରେ ଗଣ୍ଡଗୋଳ କରିବାରୁ ତାର ପିତା ପୁତ୍ରର ବେକ କାଟିବାକୁ ପଛାଇନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ବର୍ତ୍ତମାନର କରୋନା ସମୟର ସଟଡାଉନବେଳେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଦିନ ପ୍ରାୟ ୩.୪୫ ସମୟରେ ଜଣେ ଯୁବକ ବ୍ରାଉନସୁଗାର ଖାଇ ଘରେ ଗଣ୍ଡଗୋଳ କରିଥିଲା । ଫଳରେ ତାର ଉନ୍ମୁକ୍ତ କାଣ୍ଡ ପରିବାର ଲୋକଙ୍କୁ ଅତିଷ୍ଠ କରିଥିଲା । ତେବେ ଯୁବକ ଜଣକ ଉକ୍ତ ନିଶା ଖାଇ ଅଧିକ ଉତ୍ପାତ କରିବାରୁ ସହରର ଶନିମନ୍ଦିର ଛକ ଜିଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିତା-ପୁତ୍ରର ଗଣ୍ଡଗୋଳ ଘଟି ଶେଷରେ ଅତିଷ୍ଠ ପିତା ତାର ଗଳା କାଟିବାକୁ ପଛାଇନଥିଲେ । ଏହି ଘଟଣା ପରେ ପିତା ଜଣକ ପଳାଇଯାଇଥିବାବେଳେ ଯୁବକଟି ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବାବେଳେ ସହରାଞ୍ଚଳ ଥାନା ପୁଲିସ୍ ଖବର ପାଇ ତାକୁ ପିସିଆର ଭ୍ୟାନ୍‌ରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଯୁବକଟିକୁ ଚିକିତ୍ସା କରିବାକୁ ଯାଇ ଆଟେଣ୍ଡାଣ୍ଟ ମାନଙ୍କୁ ନାକେଦମ୍ ହେବାକୁ ପଡିଥିଲା । ବ୍ରାଉନସୁଗାର ନିଶାରେ ଟଳମଳ ଯୁବକଟି ତାର ଆଶୁ ଚିକିତ୍ସା କରାଇଦେବା ତ ଦୂରର କଥା ପୁଲିସ୍ ଓ ଚିକିତ୍ସାକାରୀଙ୍କୁ ଠେଲାପେଲା କରି ନିଜ ମୁଣ୍ଡକୁ କାନ୍ଥରେ ପିଟି ସେଠାରୁ ଦୌଡି ପଳାଇଥିଲା । ଯେଉଁଥିପାଇଁ ତାର ପରିଚୟ ଡାକ୍ତରଖାନା ଓ ପୁଲିସ୍ କର୍ତ୍ତୃପକ୍ଷ ପାଇପାରିନଥିଲେ । ତେବେ ଏହି ଘଟଣା ସଂପର୍କରେ ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡେଇଙ୍କୁ ଏ ପ୍ରତିନିଧି ପଚାରିବାରେ ସେ ଯଦିଓ ଯୁବକଟିର ପରିଚୟ ଜାଣିନଥିବାର କହିଥିଲେ, ତେବେ ତାର ପରିବାର ପକ୍ଷରୁ ଘଟଣାଟିର ଆପୋଷ ସମାଧାନ ହୋଇଥିବା ବିଷୟ କହିଛନ୍ତି ।