Odiapua.com

ଧନୁ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ, ଏକମାସ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପୌଷମାସର ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି ପହିଲି ଅନ୍ନନୀତି ଭୋଗ ଲାଗି କରାଯିବ। ଏଥିପାଇଁ ଆଜି ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସେବାୟତ ଓ ଭକ୍ତଙ୍କ ପକ୍ଷରୁ ଧନୁମୁଆଁ ଭୋଗ ଲାଗି କରାଯାଇଥିଲା। ପରେ ପହିଲୁ ଅନ୍ନନୀତି ଭୋଗ ଲାଗି ହେବା ପରେ ସାହଣମେଲାରେ ଭକ୍ତମାନେ ଧାଡି ଦର୍ଶନ କରିଥିଲେ। ଅପରାହ୍ଣ ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପରେ ସଂଧ୍ୟାରେ ଧନୁ ନୀତି ଭୋଗ ଲାଗି ହେବା ସହ ବଡ ଆଳତୀ ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।