ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଥାନା ଅର୍ନ୍ତଗତ ଦୋସିଙ୍ଗା ବଜାର ଠାରେ ଥିବା ଏକ ଠିପି ବନ୍ଦ ମଦ ଦୋକାନରେ ଠିପି ଖୋଲା ହୋଇ ମଦ ବେପାର ହେଉଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ପ୍ରାପ୍ତ ଖବରରୁ ଜଣାଯାଇଛି ଦୋସିଙ୍ଗା ବଜାର ନିକଟସ୍ଥ ସରକାରୀ ବିଦ୍ୟାଳୟ ନିକଟରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସ୍ଥାନାନ୍ତରଣ କରିବା ପାଇଁ ସ୍ଥାନୀୟ ଜନତା ବହୁବାର ଭଦ୍ରକ ଜିଲ୍ଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କୁ ଭେଟି ନିଜର ଆପତି ଜଣାଇବା ସହ ଲିଖିତ ଭାବେ ମଧ୍ୟ ଅବଗତ କରାଇଥିଲେ । ମାତ୍ର ବିଭାଗୀୟ କର୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ନେଇ ଅଂଚଳବାସୀଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି । ଏହି ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଖୁଲମ ଖୁଲା ଠିପି ଖୋଲା ହୋଇ ମଦ ବିକ୍ରି ହେଉଥିବା ସହ କିଛି ମଦୁଆ ଏହି ଠାରେ ମଦ ପିଇ ମାତାଲ ହୋଇ ସ୍ଥାନୀୟ ଅଧିବାସୀଙ୍କୁ ବ୍ୟବହାର ଖରାପ କରିଥିଲେ । ଏନେଇ ସଂପୃକ୍ତ ମଦୁଆ ଏବଂ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହେବା ସହ କିପରି ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଠିପି ଖୋଲା ହୋଇ ମଦ ବେପାର ଚାଲିଛି ତାହାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହି ବାବଦରେ ପୁନଶ୍ଚ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ତୁରନ୍ତ ଏହି ଦୋକାନକୁ ବିଦ୍ୟାଳୟ ଠାରୁ ଅନତି ଦୂରକୁ ହଟାଇବାକୁ ଦାବୀ କରିଛନ୍ତି । ଏଥିସହ ଏହି ବିଦ୍ୟାଳୟରେ ଅଙ୍ଗନବାଡି କେନ୍ଦ୍ର ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୮ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନରତ । ତୁରନ୍ତ ଏହି ମଦୁଆଙ୍କ ପ୍ରାର୍ଦୁଭାବରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ଅଂଚଳବାସୀ ପୁନଶ୍ଚ ନିଜର ଦାବୀ ରଖିବା ସହ ଦୋସିଙ୍ଗା ବଜାର ଠାରେ ଥିବା ଏହି ଠିପି ବନ୍ଦ ମଦ ଦୋକାନକୁ ସ୍ଥାନାନ୍ତରିତ କରିବାକୁ ଦାବୀ ଜଣାଇଛନ୍ତି ।