Odiapua.com

ଦୋସିଙ୍ଗା ପଂଚାୟତରେ ଅମ୍ଫାନ ସହାୟତା ରାଶିରେ ବ୍ୟକ୍ତିଗତ ରାସ୍ତା ନିର୍ମାଣ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ କେନ୍ଦ୍ର ଏବଂ ରାଜ୍ୟରୁ ମିଳିଥିବା ଅମ୍ଫାନ ସହାୟତା ରାଶିରେ ବ୍ୟାପକ ଅନିୟମିତତା ଦୃଷ୍ଟିକୁ ଆସିଛି । ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଏହି ପଂଚାୟତକୁ ଅମ୍ଫାନ ସହାୟତା ସ୍ୱରୂପ ୩ଲକ୍ଷ ଟଙ୍କା ଅନୁଦାନ ସ୍ୱରୂପ ଆସିଥିଲା । ଏହି ରାଶିରେ ଗ୍ରାମ୍ୟ ମଧ୍ୟରେ ନୂତନ ରାସ୍ତା ନିର୍ମାଣ କିମ୍ବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ମାତ୍ର ଏହି ରାଶିକୁ ପଂଚାୟତ ଅଧିକାରୀ ଜାଣିଶୁଣି ଗୋଟିଏ ପରିବାରର ବ୍ୟବହାର ପାଇଁ ବ୍ୟକ୍ତିଗତ ସ୍ଥାନରେ ୩ ଲକ୍ଷ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରିଛନ୍ତି । ଏହି ରାସ୍ତା ୩ଶହ ମିଟର ନିର୍ମାଣ ହେବା ପରିବର୍ତେ ୨୮୦ ମିଟର ନିର୍ମାଣ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ଏହି ଜାଗା ବ୍ୟକ୍ତିଗତ ନାମରେ ଥିବା ବେଳେ ପଂଚାୟତ ବିଭାଗ ନାମରେ ନାମିତ ନହୋଇ କିପରି ନିର୍ମାଣ କରାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଂଚାୟତ ଅଧିକାରୀ ଅମ୍ଫାନ ସହାୟତା ରାଶିକୁ କେବଳ ବ୍ଲକର କନିଷ୍ଠଯନ୍ତ୍ରୀ ଙ୍କ ସହାୟତାରେ ଯେ କୌଣସି କାର୍ଯ୍ୟ କରାଯାଇ ପାରିବ ବୋଲି କହି ସଫେଇ ଦେଉଛନ୍ତି । ଏହି ଅଭିଯୋଗ ବାବଦରେ ଚାନ୍ଦବାଲି ବ୍ଲକର କନିଷ୍ଠଯନ୍ତ୍ରୀ ଅମୀୟ ରଞନ ପଲେଇଙ୍କ ସହ ଯୋଗାଯୋଗ କରିବାରୁ ସେ ଅଭିଯୋଗର ସତ୍ୟତା ଅଛି ବୋଲି କହିଥିଲେ,ଏବଂ ଅମ୍ଫାନ ରାଶି ସହାୟତାରେ ସମିପାଟିଆ ଗ୍ରାମର ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଜଣକ ବ୍ୟକ୍ତିଗତ ସ୍ଥାନରେ ଏହି ରାସ୍ତା ପଂଚାୟତ ଅଧିକାରୀ ନିର୍ମାଣ କରିଛନ୍ତି । କେଉଁ ପରିସ୍ଥିତିରେ ପଂଚାୟତ ଅଧିକାରୀ ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ବିନା ଆଦେଶରେ ନିର୍ମାଣ କଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ଏହି ରାସ୍ତା ନିର୍ମାଣ ହେବା ପରେ ଦୋସିଙ୍ଗା ପଂଚାୟତ ଅଧିକାରୀ ବିଲ କରିବା ପାଇଁ କନିଷ୍ଠଯନ୍ତ୍ରୀଙ୍କ ଉପରେ ଚାପ ପକାଇଥିବା ବେଳେ ସେ ଏହି ବିଲ କରିବାକୁ ମନା କରି ଦେଇଥିଲେ । ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ବ୍ୟକ୍ତିଗତ ସ୍ଥାନକୁ ପଂଚାୟତିରାଜ ବିଭାଗ ନାମରେ ନାମିତ କରା ନଯାଇ କିପରି ଭାବରେ ଏଭଳି ଅନିୟମିତା କାର୍ଯ୍ୟ କରାଯାଉଛି ତାହାର ତଦନ୍ତ ହେବା ଜରୁରୀ ଏଥିପ୍ରତି ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।