Odiapua.com

ଦୋସିଙ୍ଗାରେ ସରକାରଙ୍କ ରାସନ ସାମଗ୍ରୀ ବାଟମାରଣା, ୪୦ ମାସ ଧରି ରାସନ ସାମଗ୍ରୀ ହଡପ ଅଭିଯୋଗ ଆଣିଲେ ଦାଦନ ଉପଭୋକ୍ତା

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୪୦ ମାସ ଧରି ଦୋସିଙ୍ଗା ପଂଚାୟତର ଜଣେ ଦାଦନ ଉପଭୋକ୍ତାଙ୍କ ରେସନ ସାମଗ୍ରୀ ହରିଲୁଟ କରି ଚାଲିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଂଚାୟତର ଜୈନିକ ଡିଲର । ସରକାରଙ୍କ ଖାତାରେ ଖାଉଟି ଙ୍କ ନାମ କଟିଯାଇଥିବା ଦର୍ଶାଇ ଦୀର୍ଘ ୪୦ମାସ ଧରି ୧ହଜାର କିଲୋ ରାସନ ସାମଗ୍ରୀ ହଡପ କରି ନେଇଛନ୍ତି ସଂପୃକ୍ତ ଡିଲର । ଖବରରୁ ପ୍ରକାଶ ଦୋସିଙ୍ଗା ପଂଚାୟତର ଖୁଦୀରାମ ସାମନ୍ତଙ୍କ (ଖାଉଟି କାର୍ଡ ୦୪୦୫୧୧୧୧୨୩୭) ସେହି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସରକାରଙ୍କ ତରଫରୁ ୨୬ ଅକ୍ଟୋବର ୨୦୧୫ ମସିହାରେ ସେ ପ୍ରଥମ କରି ଖାଉଟି ସାମଗ୍ରୀ ସଂପୃକ୍ତ ଡିଲର ଜୟଜଗନ୍ନାଥ ଏସଏଚଜି ପାଖରୁ ନେଇଥିଲେ । ପରେ ନିଜର ଆର୍ଥିକ ସ୍ଥିତି ଖରାପ ହେବାରୁ ସେ ନିଜର ପରିବାରକୁ ଛାଡି ତାମିଲନାଡୁକୁ ଦାଦନ ଖଟିବାକୁ ଚାଲିଯାଇଥିଲେ ।ଘରର ବୃଦ୍ଧ ବାପା ,ମା,ସ୍ତ୍ରୀ ଏବଂ ଛୋଟ ଛୁଆ ସରକାରଙ୍କ ଅନୁଦାନକୁ ଚାହିଁ ବସିଥିବା ବେଳେ ଚଂଚକତା କରି ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ଏହି ଗରିବ ଦାଦନ ପରିବାରର ରାସନ ସାମଗ୍ରୀ ହଡପ ଆରମ୍ଭ କରିଥିଲେ ।ତେବେ ମାତ୍ର ୭ମାସ ରାସନ ସାମଗ୍ରୀ ଦେବା ପରେ ସଂପୃକ୍ତ ଡିଲର ଖୁଦୀରାମଙ୍କ ନାମ ସରକାରଙ୍କ ଖାଉଟି ଖାତାରୁ କଟିଯାଇଥିବା ଦର୍ଶାଇଥିଲେ ।

 

 

ପରେ ସେ ଆଉ ଖାଉଟି ସାମଗ୍ରୀ ପାଇ ପାରି ନଥିଲେ । ଦୀର୍ଘ ଦିନ ପରେ କୌଣସି ସୂତ୍ରରୁ ଖବର ପାଇ ଖୁଦୀରାମ ଚାନ୍ଦବାଲି ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ଜାଣିବାକୁ ପାଇଲେ ସରକାରଙ୍କ ଖାତାରେ ତାଙ୍କ ପରିବାରର ୫ଜଣଙ୍କ ନାମରେ ଆଜି ପର୍ଯ୍ୟନ୍ତ ଖାଉଟି ସାମଗ୍ରୀ ଦିଆଯାଉଛି ଓ ସଂପୃକ୍ତ ଡିଲର (ଜୟ ଜଗନ୍ନାଥ ଏସଏଚଜି) ସଂପାଦିକା ଏହି ସାମଗ୍ରୀ ଗୁଡିକ ନିଜେ ଆତ୍ମସାତ କରିଛନ୍ତି । ଏ ବିଷୟରେ ଅଭିଯୋଗ ପରେ ଚାନ୍ଦବାଲି ବିଡିଓ ବିଜୟ ନାୟକ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ସଂପାଦିକା ନିଳୀମା ନାୟକ ଙ୍କୁ ସଂପୃକ୍ତ ଖାଉଟି ଖୁଦୀରାମ ସାମନ୍ତଙ୍କୁ ଦୀର୍ଘ ୪୦ମାସର ରାସନ ସାମଗ୍ରୀ ଦେବାକୁ ଆଦେଶ ଦେଇଥିଲେ,ମାତ୍ର ଆଦେଶ ପାଇବା ପରେ ସଂପୃକ୍ତ ଡିଲର ନିଜର ପତିଆରା ଦେଖାଇ ବିଡିଓଙ୍କ କଥାକୁ ଅମାନ୍ୟ କରି ଖୁଦୀରାମକୁ ମାତ୍ର ୨ମାସର ଖାଉଟି ସାମଗ୍ରୀ ଦେବାକୁ ରାଜି ହୋଇଥିଲେ । ୪୦ମାସ ବଦଳରେ ମାତ୍ର ୨ମାସର ରାସନ ସାମଗ୍ରୀ ନେବାକୁ ଖୁଦୀରାମ ମନା କରିବାସହ ପୁନଶ୍ଚ ଜିଲ୍ଲାପାଳ ,ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକାଙ୍କ ନାମରେ ଧାମରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସଂପୂର୍ଣ ଭିତିହୀନ ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକାଙ୍କ ସ୍ୱାମୀ କହୁଥିବା ବେଳେ ଚାନ୍ଦବାଲି ବିଡିଓ ଏହି ଅଭିଯୋଗ ଉପରେ ତଦନ୍ତ କରାଯାଇ ସତ୍ୟତା ଥିଲେ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ।