Odiapua.com

ଦୋସିଙ୍ଗାରେ କୋଠା ଘର ଲୋକଙ୍କୁ ରାସନ,ଗରିବଙ୍କୁ ଉପହାସ : କୋଠାଘର ମାଲିକ ପାଇଥିବା ସାମଗ୍ରୀ ବାବଦରେ ସରକାରଙ୍କୁ ୭ହଜାର ଟଙ୍କା ଫେରସ୍ତ ପରେ ମଧ୍ୟ ଖାତାରୁ କଟୁନି ନାମ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ବିଚିତ୍ର ନୀତିରେ ବଳି ପଡୁଛନ୍ତି ଗରିବ ଏବଂ ଖଟିଖିଆ । କେଉଁଠି ଗରିବ ଏବଂ ଖଟିଖିଆ ଲୋକ ରାସନ ଉପଭୋକ୍ତା ହେବା ପାଇଁ କୁଜୀ ନେତା ମାନଙ୍କୁ ହାତଗୁଞା ଦେଇ ଖାଉଟି କାର୍ଡ ପାଇବା ପାଇଁ ବ୍ଲକରେ ଥିବା ଏମଆଇ ଙ୍କ ।ଖରେ ଦ୍ୱାରସ୍ଥ ହୋଇ ବହୁବାର ଫେରୁଛନ୍ତି ତ ଆଉ କେଉଁଠି କୋଠା ଘର ମାଲିକ ମାନେ ମାସକୁ ହଜାର ହଜାର ଟଙ୍କା କମାଉଥିବା ବେଳେ ସେମାନେ ସରକାରଙ୍କ ଆଖିରେ ଗରିବ ଏବଂ ଖଟିଖିଆ ଖାତାରେ ନାମ ଲେଖାଇ ରାସନ ସାମଗ୍ରୀ ପାଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧାମରା ଥାନା ଅର୍ନ୍ତଗତ ଦୋସିଙ୍ଗା ପଂଚାୟତରେ । ଖବରରୁ ପ୍ରକାଶ ଦୋସିଙ୍ଗା ପଂଚାୟତର ଖୁଦୀରାମ ସାମନ୍ତଙ୍କ (ଖାଉଟି କାର୍ଡ ୦୪୦୫୧୧୧୧୨୩୭) ସେହି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସରକାରଙ୍କ ତରଫରୁ ୨୬ ଅକ୍ଟୋବର ୨୦୧୫ ମସିହାରେ ସେ ପ୍ରଥମ କରି ଖାଉଟି ସାମଗ୍ରୀ ସଂପୃକ୍ତ ଡିଲର ଜୟଜଗନ୍ନାଥ ଏସଏଚଜି ପାଖରୁ ନେଇଥିଲେ । ପରେ ଖୁଦୀରାମ ସାମନ୍ତଙ୍କର ୪ବଖରା କୋଠାଘର ଏବଂ ୪ଟି କୋଠାଘର ଦୋକାନ ହୋଇ ଭଡାରେ ଦିଆ ଯାଇଥିବା ଜଣା ପଡିଥିଲା । ଏହାକୁ ଚାକ୍ଷୁସ ପ୍ରମାଣ ଭାବରେ ଗ୍ରହଣ କରି ସରକାର ଖୁଦୀରାମ ସାମନ୍ତକୁ ଚିଠି କରିବା ସହ ପୂର୍ବରୁ ନେଇଥିବା ରାସନ ସାମଗ୍ରୀ ବଦଳରେ ସମସ୍ତ ଟଙ୍କା ସରକାରଙ୍କ ଖାତାରେ ଜମା କରିବାକୁ ଆଦେଶ ଦେଇଥିଲେ । ଆଦେଶ ପାଇବା ପରେ ୫ଅଗଷ୍ଟ ୨୦୧୬ ମସିହାରେ ଖୁଦୀରାମ ସାମନ୍ତଙ୍କ ସ୍ତ୍ରୀ ସୁଷମା ସାମନ୍ତ ଭାରତୀୟ ଷ୍ଟେଟବ୍ୟାଙ୍କ ଚାନ୍ଦବାଲି ଶାଖାରେ ୬୬୭୩ଟଙ୍କା ଚାନ୍ଦବାଲି ବିଡିଓଙ୍କ ଆକାଉଂଟରେ ଜମା କରିଦେଲେ ।

 

 

ପରେ ଏହି ବ୍ୟକ୍ତିଙ୍କ ନାମ ରାସନ ସାମଗ୍ରୀ ଉପଭୋକ୍ତାରୁ କଟିଯାଇଥିଲା । ପୁନଶ୍ଚ ଚାନ୍ଦବାଲି ଏମଆଇ ଙ୍କ ଅଫିସରେ ଏହି ବ୍ୟକ୍ତିଙ୍କ ନାମ ପୁନଶ୍ଚ ଯୋଡି ହୋଇଗଲା । ଫଳରେ ଏହି ବ୍ୟକ୍ତି ଜଣକ ମାସକୁ ବହୁଟଙ୍କା ରୋଜଗାର କରିବା ସହ ୪ବଖରା କୋଠାଘରର ମାଲିକ ହୋଇ ମଧ୍ୟ ରାସନ ସାମଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହେଲେ । ଫଳରେ ଏହି ବ୍ୟକ୍ତି ଖୁଦୀରାମ ସାମନ୍ତ ପୁନଶ୍ଚ ଯାଇ ଚାନ୍ଦବାଲି ଏମଆଇ୍‌ଙ୍କ ଅଫିସରେ ପହଂଚି ତାଙ୍କୁ ପୂର୍ବରୁ କଟିଯାଇଥିବା ରାସନ ସାମଗ୍ରୀ ଦେବାକୁ ଦାବୀ କରିଥିଲେ । ଅନ୍ୟଉପାୟ ନପାଇ ଚାନ୍ଦବାଲି ଏମ ଆଇ ଏହି କୋଠାଘର ମାଲିକ ଖୁଦୀରାମ ସାମନ୍ତଙ୍କୁ ପୁନଶ୍ଚ ରାସନ ସାମଗ୍ରି ଦେବାକୁ ସଂପୃକ୍ତ ଡିଲର ଜୟଜଗନ୍ନାଥ ଏସଏଚଜିକୁ ନିର୍ଦେଶ ଦେଲେ । ଏହି ନିର୍ଦେଶ ପାଇବା ପରେଜୟଜଗନ୍ନାଥ ଏସଏଚଜିର ସଂପାଦିକା ଖୁଦୀରାମ ସାମନ୍ତକୁ ଡାକି ପୂର୍ବରୁ ବାକି ଥିବା ସମସ୍ତ ରାସନ ସାମଗ୍ରୀ ନେବାକୁ କହିବା ପରେ ମଧ୍ୟ ସଂପୃକ୍ତ ଖୁଦୀରାମ ସାମନ୍ତ ରାସନ ସାମଗ୍ରୀ ନନେଇ ଏହାକୁ ରାଜନୈତିକ ରୂପ ଦେଇ ଥିବା ଜଣାଯାଇଛି । ଏବିଷୟରେ ଚାନ୍ଦବାଲି ଏମ ଆଇଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁଦୀରାମ ସାମନ୍ତଙ୍କ ବକେୟା ଦେବାକୁ ଜୟଜଗନ୍ନାଥ ଏସଏଚଜିକୁ କହିଛନ୍ତି ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ଧାମରା ବନ୍ଦର ଗେଟ ଆଗରେ ୪ବଖରା କୋଠା ଘର ନିର୍ମାଣ କରି ଦୋକାନ ଭାବରେ ଭଡା ଦେଉଥିବା ବ୍ୟକ୍ତି ଏବଂ ନିଜେ ୪ବଖରା କୋଠା ଘରେ ରହୁଥିବା ବେଳେ ତାଙ୍କୁ ଗରିବ ଖଟିଖିଆ ମାନଙ୍କ ପାଇଁ ଉଦିଷ୍ଟ ଟଙ୍କାକିଆ ଚାଉଳ ଏବଂ ଗହମ ମିଳି ପାରୁଥିବା ବେଳେ ଏହି ପଂଚାୟତରେ ଥିବା ବହୁ ଗରିବ ଏବଂ ଖଟିଖିଆ ମାନଙ୍କୁ ଏହି ଯୋଜନାରୁ ବାଦ ଦିଆ ଯାଉଛି ତାହା ଏକ ଅସମାହିତ ପ୍ରଶ୍ନ ହୋଇ ପ୍ରଶାସନର କୋର୍ଟରେ ବିଚାରଧିନ ହୋଇ ରହିଛି ।