ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଠିପି ଖୋଲା ମଦ ଦୋକାନ। ଏନେଇ ବାରମ୍ବାର ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ବେଧଡକ ଭାବେ ଚାଲିଛି ଏହି ଠିପି ଖୋଲା ମଦ ଦୋକାନ। ପ୍ରାପ୍ତ ଖବର ଅନୁଯାଇ ଦୋସିଙ୍ଗା ବନ୍ଦର ନିକଟରେ ଥିବା ରାଜ ବାର(ଠିପି ଖୋଲା ମଦ ଦୋକାନ) ଟି ସଂପୂର୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି। ଏହି ବାରରେ ରେଷ୍ଟୁରାଂଟ ନଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ ହେଉ ନାହିଁ। ଏଭଳି ପରିବେଶରେ ଏହି ଠିପି ଖୋଲା ମଦ ଦୋକାନରେ ଗ୍ରାହକ ମାନଙ୍କ ପାଇଁ ପାଇଖାନାର ସୁବିଧା ମଧ୍ୟ ନାହିଁ। ସବୁଠାରୁ ବଡ କଥା ରାଜ୍ୟ ଅବକାରୀ ଅଧିକାରୀଙ୍କ ନିୟମାନୁଯାଇ ଯେଉଁ ଗ୍ରାହକ ମାନେ ଏହି ମଦ ବାରରୁ ମଦ କିଣି ନେବେ ସେମାନଙ୍କୁ କମ୍ପୁଟରୀକରଣ ବିଲ ଦେବାକୁ ନିୟମ ଥିବା ବେଳେ ସଂପୃକ୍ତ ମାଲିକ ଏହି ନିୟମକୁ ସଂପୂର୍ଣ ପାଶୋରି ଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ବାରରେ ୨୪ଘଂଟା କ୍ୟାମେରା ଉପଲବ୍ଧ ହେବାର ନିୟମ ଥିବା ବେଳେ ସଂପୃକ୍ତ ମାଲିକ ମଧ୍ୟ ଏହି ନିୟମକୁ ଫୁ କରି ଦେଉଛନ୍ତି। ଏପରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗ୍ରାହକ ମାନେ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ଦାବୀ କରୁଥିବା ବେଳେ ସଂପୃକ୍ତ ବାର ର କର୍ମଚାରୀ ଗ୍ରାହକ ମାନଙ୍କୁ ନାଲି ଆଖି ଦେଖାଉ ଥିବା ନେଇ ଅବକାରୀ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଏହି ସମସ୍ତ ସୁବିଧା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ନଥିବା କଥା ଚାନ୍ଦବାଲି ଉପଖଣ୍ଡ ଅବକାରୀ ଅଧିକାରୀଙ୍କୁ ପଚାରିବାରେ ସେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଏ ବିଷୟରେ କିଛି ମତାମତ ରଖିବାକୁ ମନା କରି ଦେଇଥିଲେ। ତୁରନ୍ତ ଏହି ରାଜା ଠିପି ଖୋଲା ମଦ ଦୋକାନ କୁ ଏହି ସ୍ଥାନରୁ ସ୍ଥାନାନ୍ତରିତ କରିବାକୁ ଏକ ସ୍ୱେଚ୍ଚାସେବୀ ସଙ୍ଗଠନ ମଧ୍ୟ ଅବକାରୀ କମିଶନରଙ୍କ ନିକଟରେ ଦାବୀ ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟ ଏହି ମଦବାର ଥିବା ସ୍ଥାନ ଗ୍ରାମାଂଚଳ ରାସ୍ତା ପାଶ୍ୱର୍ରେ ହୋଇଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଛାତ୍ରଛାତ୍ରୀ ନିଜ ଜୀବନକୁ ସୁରକ୍ଷିତ ମଣୁ ନାହାନ୍ତି। ତୁରନ୍ତ ଏହା ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ଅଛି।