Odiapua.com

ଦୋସିଙ୍ଗାରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ନେଇ ହଟଗୋଳ, ସୁପରଭାଇଜରଙ୍କ ଅଶାଳୀନ ମନ୍ତବ୍ୟ ନେଇ ସିଡିପିଓ ଅଟକ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଥିବା ସମିପାଟିଆ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ସ୍ଥାନୀୟ ଅଧିବାସୀ ଏବଂ ସିଡିପିଓ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଦୀର୍ଘଦିନ ହେବ ସମିପାଟିଆ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ପଦବୀ ଫାଙ୍କା ଥିଲା । ଏହି ପଦବୀ ପାଇଁ ପୂର୍ଣିମା ଜେନା ଏବଂ ରଶ୍ମିତା ଜେନା ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଥିଲା । ବିଗତ ଦିନ ମାନଙ୍କରେ ଏହି ପଦବୀ ପୂରଣ ପାଇଁ ମାର୍ଚ୍ଚ ୧୬ ଏବଂ ମାର୍ଚ୍ଚ ୩୧ ତାରିଖରେ ତାରିଖ ଘୋଷଣା ହେବା ପରେ ମଧ୍ୟ ପୁନଶ୍ଚ ଏହି ତାରିଖ ବାତିଲ କରାଯାଇଥିଲା । ଆଜି ଚାନ୍ଦବାଲି ସିଡିପିଓ ଆସି ସମିପାଟିଆ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ସହାୟିକା ପଦବୀ ପାଇଁ ମନୋନୟନ କରାଯିବ ବୋଲି କହିଥିଲେ । ଦିନ ୧୧ଟା ସମୟରେ ୬୪ଜଣ ସ୍ଥାନୀୟ ମହିଳା ଆସି ପହଂଚିବା ସହ ରଶ୍ମିତା ଜେନାଙ୍କ ସପକ୍ଷରେ ୧୨ଟି ଭୋଟ ଏବଂ ପୂର୍ଣ୍ଣିମା ଜେନାଙ୍କ ସପକ୍ଷରେ ୫୨ଟି ଭୋଟ ଦେଇଥିଲେ । ଏହାକୁ ନେଇ ଗଣ୍ଡଗୋଳ ଆଶଙ୍କା କରି ସଂପୃକ୍ତ ସିଡିପିଓ ଘଟଣାସ୍ଥଳରୁ ନିକଟରେ ଥିବା ଏକ ଅଙ୍ଗନବାଡି କର୍ମୀଙ୍କ ଘରକୁ ଚାଲିଯାଇଥିଲେ । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଧିବାସୀ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଘରକୁ ଯାଇ ଜିତିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ଅଡି ବସିଥିଲେ । ମାତ୍ର ଉପସ୍ଥିତ ଥିବା ସିଡିପିଓ କିଛି ମତାମତ ରଖିବା ପୂର୍ବରୁ କଇଥଖୋଳା ଅଙ୍ଗନବାଡି ସୁପରଭାଇଜର ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ଆମ୍ଭେ ଆଜି ଏହି ତାରିଖ ବାତିଲ କରିଦେଲୁ ବୋଲି କହିଥିଲେ ।

ଏହି କଥାକୁ ନେଇ ସ୍ଥାନୀୟ ଗ୍ରାମବାସୀ ସିଡିପିଓଙ୍କୁ ଅଟକ ରଖିଥିଲେ ।ଏଥିସହ ସହାୟିକା ପଦବୀରେ କିଏ ଜିତିଛି ତାଙ୍କ ନାମ ଘୋଷଣା କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିବା କଇଥଖୋଲା ସୁପରଭାଇଜରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଥିଲେ । ଶେଷରେ ସିଡିପିଓ ଧାମରା ଥାନା ଅଧିକାରୀଙ୍କୁ ଫୋନରେ ସମସ୍ତ ଘଟଣା କହିଥିଲେ । ଅପରାହ୍ଣ ୩ଟା ସମୟରେ ଧାମରା ଥାନାର ସେକେଣ୍ଡ ଅଫିସର ଆସି ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଉପସ୍ଥିତ ଥିବା ସିଡିପିଓ ସମିପାଟିଆ ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଭୋଟରେ ପୂର୍ଣ୍ଣିମା ଜେନା ୫୨ଖଣ୍ଡ ଭୋଟ ପାଇଥିବା କଥା ଘୋଷଣା କରିବା ପରେ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ । କଇଥଖୋଲା ସୁପରଭାଇଜର ସାଧାରଣ ଜନତାଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ ଠିକ ହୋଇ ନାହିଁ ବୋଲି ମଧ୍ୟ କହିଥିଲେ । ଶେଷରେ ଧାମରା ଥାନାର ସେକେଣ୍ଡ ଅଫିସର ସଂପୃକ୍ତ ସିଡିପିଓ ଏବଂ ଅଶାଳୀନ ମନ୍ତବ୍ୟ ଦେଇଥିବା ସୁପରଭାଇଜରଙ୍କୁ ଲୋକଙ୍କ କବଳରୁ ରକ୍ଷା କରିବା ସହ ସେମାନଙ୍କୁ ସୁରକ୍ଷା ଭିତରେ ନେଇ ଛାଡିଥିଲେ ।