ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇଦେଇଛନ୍ତି । ନିଜ ପଂଚାୟତ ତଥା ଘର ପାଖରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଧାମନଗର ବ୍ଲକ ଦୋବଲ ପଂଚାୟତ ରାସନ ସାମଗ୍ରୀ ବଟଂନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ଅଭିଭକ୍ତ ଦୋବଲ ପଂଚାୟତକୁ ଭାଗ କରାଯାଇ ଦୋବଲ ଓ ମୁସ୍ତାଫାପୁର ଦୁଇଟି ପଂଚାୟତ ଗଠନ କରାଯାଇଛି । ମୂଳ ପଂଚାୟତ ଦୋବଲର ହିତାଧିକାରୀ ରାସନ ସାମଗ୍ରୀ ଏବେ ମୁସ୍ତାଫାପୁର ପଂଚାୟତନରୁ ନେବାକୁ ପଡୁଛି । ଦୀର୍ଘ ୩/୫ କିମି ରାସ୍ତା ଖରା, ବର୍ଷା ଓ ଶୀତରେ ମହିଳା ହୁଅନ୍ତି କିଁ ବୟସ୍କ ଏବଂ ଭିନ୍ନକ୍ଷମ ଲୋକ ବାଧ୍ୟ ହୋଇ ମୁସ୍ତାଫାପୁର ପଂଚାୟତକୁ ରାସନ ସାମଗ୍ରୀ ନେବାକୁ ଆସିଥାନ୍ତି । ରାସନ ସାମଗ୍ରୀ ବଂଟନ ଦାୟିତ୍ୱରେ ଥିବା ସଂପୃକ୍ତ ରିଟେଲର ତଥା ମା ମଙ୍ଗଳା ସ୍ୱଂୟ ସହାୟକ ଗୋଷ୍ଠୀ ରାସନ ସାମଗ୍ରୀ ବାଂଟୁନଥିବା ବେଳେ ଏକ ନିଦ୍ଧିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ରଖି ଯୋଗାଣ ସାମଗ୍ରୀ ବଂଟନ କରୁଛନ୍ତି । ଏପରିକି ଦୋବଲ ପଂଚାୟତର ଇଟୁଆ, ନନ୍ଦିପୁର, ସୋଧ, କୋଳେଇପଦା, ଅଙ୍ଗେଇପାଳ, ଦୋବଲ ଆଦି ୧୧ଟି ୱାର୍ଡର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ରାସନ ହିତାଧିକାରୀ ବାଧ୍ୟ ହୋଇ ମୁସ୍ତାଫାପୁରକୁ ଆସିବାକୁ ପଡୁଛି ।
ଏମିତିକି ବନ୍ୟା ଓ ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ଆଗୁଆ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀ ବଂଟନ ସମୟରେ ଲୋକେ ମଧ୍ୟ ହଇରାଣ ହରକତ ହୋଇ ଆସିବାକୁ ପଡିଥାଏ । ସଂପୃକ୍ତ ରିଟେଲର ପଏଟଂରେ କୌଣସି ସୂଚନା ଫଳକ ନରଖିବା ଫଳରେ ରାସନ ସାମଗ୍ରୀକୁ ହରିଲୁଟ କରିବାରେ ବେଶ ଖୋରାକ ଯୋଗାଉଛି । ସରକାରଙ୍କ ନିଘଟଂ ସମୟରେ ରିଟେଲର ପଏଟଂ ନଖୋଲି ନିଜ ମନମୁଖୀ ଭାବେ ଖୋଲିବା ଯୋଗୁଁ ହିତାଧିକାରୀ ମାନେ ବାରମ୍ବାର ଆସି ନିରାଶରେ ଫେରିବାକୁ ପଡୁଛି । ଏସଂପର୍କରେ ତାଙ୍କୁ ଅଭିଯୋଗ କଲେ ସେମାନଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଏନେଇ ଦୋବଲ ପଂଚାୟତର ହିତାଧିକାରୀ ବାରମ୍ବାର ବିଧାୟକ, ବିଡିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏହାର ସମାଧାନ ନହେଲେ ଆଗାମୀ ଦିନରେ ଦୋବଲ ପଂଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସଂପର୍କରେ ବ୍ଲକ ଯୋଗାଣ ଅଧିକାରୀ ମନୋରଂଜନ ମହାପାତ୍ର କହନ୍ତି, ଦୋବଲ ପଂଚାୟତରେ ରାସନ ସାମଗ୍ରୀ ବଂଟନ ପାଇଁ ଜିଲା କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି । ଖୁବ ଶିଘ୍ର ତାହାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ।