Odiapua.com

ଦୋବଲ କାଳୀବଜାର ରାସ୍ତା, ସଙ୍କୁଚିତ ରାସ୍ତା ଓ ଡ୍ରେନ ପାଇଁ ବଢୁଛି ଦୁର୍ଘଟଣା

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର- ସେଣ୍ଡପୁର ମୁଖ୍ୟ ରାସ୍ତାର ଦୋବଲ କାଳିବାଜର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଏବେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଛି। ପ୍ରାୟ ୮୦୦ ମିଟର ଲମ୍ବର ଏହି ରାସ୍ତାର ଡାହାଣ ପଟେ ନିର୍ମାଣ ହୋଇଥିବା କଂକ୍ରିଟ ଡ୍ରେନ ଏବେ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଡ୍ରେନ ନିର୍ମାଣରେ ତ୍ରୁଟି ଏବଂ ପରବର୍ତୀ ସମୟରେ ବ୍ୟବସାୟୀଙ୍କ ଦ୍ୱାରା ହୋଇଥିବା ସ୍ଲୋପିଂ ଯୋଗୁଁ ପ୍ରାୟ ୩୦ ଫୁଟ୍ ଚଉଡ଼ା ର ରାସ୍ତା ଏବେ ସଂକୁଚିତ ହୋଇ ମାତ୍ର ୨୦ ଫୁଟ ରେ ସୀମିତ ହୋଇଯାଇଛି। କିଛି ମାସ ପୂର୍ବରୁ ପୂର୍ତ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାର ଡାହାଣ ପାର୍ଶ୍ୱରେ ପ୍ରାୟ ୪ ଫୁଟ୍ ଚଉଡ଼ା ର ଏକ କଂକ୍ରିଟ ଡ୍ରେନ ନିର୍ମାଣ କରାଯାଇଛି। ମାତ୍ର ଏହି ଡ୍ରେନ ର ଉପର ଭାଗ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୭ ଇଂଚ ଉଚ୍ଚା ରହିଛି। ଏହି ଅହେତୁକ ଉଚ୍ଚତା ଯୋଗୁଁ ଡ୍ରେନ ଟି ରାସ୍ତା କଡ଼ରେ ଏକ ବ୍ୟାରିକେଡ ଭଳି ଛିଡ଼ା ହୋଇଛି। ଯାହା ଫଳରେ ଗାଡ଼ିମୋଟର ରାସ୍ତା କଡ଼କୁ ଯାଇପାରୁ ନାହିଁ। ଦୋକାନୀ ଓ ଦୋକାନକୁ ଆସୁଥିବା ଗ୍ରାହକ ଡ୍ରେନ ଏପଟେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଡ୍ରେନ ଉଚ୍ଚା ହୋଇଥିବାରୁ ଡାହାଣ ପଟେ ଥିବା ଦୋକାନୀମାନେ ନିଜ ନିଜ ଦୋକାନକୁ ଗାଡ଼ି କିମ୍ବା ମାଲ ପତ୍ର ନେବା ପାଇଁ ଅସୁବିଧାରେ ପଡୁଥିଲେ। ଏଥିରୁ ରକ୍ଷା ପାଇବା ଲାଗି ସେମାନେ ରାସ୍ତା ଉପରୁ ଡ୍ରେନ ପର୍ଯ୍ୟନ୍ତ ସିମେଂଟର ‘ସ୍ଲୋପିଂ’ କରିଦେଇଛନ୍ତି। ଏହି ସ୍ଲୋପିଂ ପାଇଁ ରାସ୍ତାର ମୁଖ୍ୟ ଅଂଶ ରୁ ଆଉ ୧ ରୁ ୨ ହାତ ପର୍ଯ୍ୟନ୍ତ ଜାଗା ନଷ୍ଟ ହେଉଛି। ଫଳ ସ୍ୱରୂପ, ବସଷ୍ଟାଣ୍ଡ ଠାରୁ କାଳୀବଜାର ଓ ଯଜ୍ଞ ପଡ଼ିଆ ପର୍ଯ୍ୟନ୍ତ। ରାସ୍ତା ପ୍ରାୟ ୮ ରୁ ୯ ଫୁଟ ସଂକୁଚିତ ହୋଇଯାଇଛି। ବସଷ୍ଟାଣ୍ଡ ପାଖରୁ କାଳୀବଜାର ମଝିରେ ପ୍ରାୟ ୨୫୦ଟି ଦୋକାନ ରହିଛି। ତା ଭିତରେ ୧୫ ରୁ ଅଧିକ ଗ୍ରୋସରୀ ଦୋକାନ, ୬ ରୁ ଅଧିକ ମାଲ୍ ଗୋଦାମ, ୪ ଟି ଲୁହା, ସିମେଂଟ, ରଡ୍‌, ଚିପ୍ସ ଓ ଟାଇଲ୍ ଦୋକାନ ରହିଛି। ଅନେକଗୁଡ଼ିଏ ପାନ ଦୋକାନ ଓ ଚା ଜଳଖିଆ ଦୋକାନ ଅଛି। ଏସବୁ ଦୋକାନରେ ସବୁବେଳେ ଲୋକଙ୍କ କାରବାର ଥାଏ। ଯିବା ଆସିବା ଲାଗି ରହିଥାଏ। ଗ୍ରୋସରୀ ମାଲଗୋଦାମର ମାଲିକ ମାନେ ବାହାର ରାଜ୍ୟରୁ ମାଲ୍ ଆଣୁ ଥିବାରୁ ଦିନ ସମୟରେ ମାଲ୍ ଅନଲୋଡିଂ କରିଥାନ୍ତି। ରାସ୍ତା ଉପରେ ୯ ଫୁଟ୍ ଚଉଡ଼ା ର ମାଲ୍ ବୋଝେଇ ଟ୍ରକ ଛିଡ଼ା ହେବାରୁ ରାସ୍ତା ଜାମ ହୋଇଥାଏ ଓ ଟ୍ରାଫିକ ସମସ୍ୟା ଉପୁ ଜିଥାଏ।ସେହିଭଳି ୨ ରୁ ୩ ଟି ଗାଡ଼ି ସର୍ଭିସିଂ ଦୋକାନୀ ଡ୍ରେନ କାରଣରୁ ରାସ୍ତା ଉପରେ ହିଁ ଗାଡ଼ି ଧୁଆ ଧୁଇ କରୁଛନ୍ତି। ଏହି କାରଣରୁ ରାସ୍ତାରେ ଅଧିକାଂଶ ସମୟରେ ପାଣି ଜମୁଛି। ରାସ୍ତା ସଂକୁଚିତ ହେବାରୁ ବିପରୀତ ଦିଗରୁ ଦୁଇଟି ବଡ଼ ଗାଡ଼ି ଆସିଲେ ପାର୍ଶ୍ୱ ଦେଇ ଯିବା ପାଇଁ ଜାଗା ନାହିଁ। ଏହି କାରଣରୁ ଛୋଟବଡ଼ ଦୁର୍ଘଟଣା ଏବେ ନିତିଦିନିଆ ଘଟଣା ପାଲଟିଛି। ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।