Odiapua.com

ଦୋବଲରେ ବିଜେଡି ଦୁର୍ଗ ଭୁଷୁଡିଲା ,ବିଜେପିକୁ ଡେଇଁଲେ ଶତାଧିକ କର୍ମୀ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ବିଜେପିର ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଦୋବଲ, ସୋହଡ଼ା, କରଦା, ଆନନ୍ଦପୁର ଓ ଖଡ଼ିପଦା ଭଳି ଅଞ୍ଚଳରୁ ଶତାଧିକ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ବାସଭବନରେ ଆୟୋଜିତ ଏହି ଭବ୍ୟ ମିଶ୍ରଣ ପର୍ବରେ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ଦେଇ ସ୍ୱାଗତ କରିବା ସହ କହିଛନ୍ତି ଯେ, ଲୋକଙ୍କର ବିଜେଡି ପ୍ରତି ଥିବା ମୋହଭଙ୍ଗ ହୋଇସାରିଛି ଏବଂ ଧାମନଗର ର ବିକାଶ ପାଇଁ ସମସ୍ତେ ଏକଜୁଟ ହେଉଛନ୍ତି।ବିଜେଡି ପାଇଁ ସବୁଠାରୁ ବଡ଼ ଝଟକା ଲାଗିଛି ଦୋବଲ ପଂଚାୟତରେ। ଦୋବଲ ପଂଚାୟତର ପୂର୍ବତନ ବିଜେଡି ସରପଂଚ ପ୍ରାର୍ଥୀ ତଥା ପ୍ରଭାବଶାଳୀ ନେତା କୃଷ୍ଣଚନ୍ଦ୍ର ପତି ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ। ତାଙ୍କ ସହ ଅବସରପ୍ରାପ୍ତ ଏବିଇଓ ଭୋଳାନାଥ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ସାହୁ ଏବଂ ଅନ୍ୟ ୨୨ ଜଣ ସକ୍ରିୟ କର୍ମୀ ବିଜେଡିର ଜନବିରୋଧୀ ନୀତିକୁ ନିନ୍ଦା କରି ବିଜେପିରେ ଯୋଗ ଦେଇଛନ୍ତି। କେବଳ ଦୋବଲ ନୁହେଁ, ଅନ୍ୟାନ୍ୟ ପ୍ରମୁଖ ପଂଚାୟତରେ ମଧ୍ୟ ବିଜେଡିର ସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଆନନ୍ଦପୁର ପଂଚାୟତର ଚମ୍ପାବାଗର ୱାର୍ଡ ମେମ୍ବର ରବୀନ୍ଦ୍ର ଦାସଙ୍କ ସମେତ ୭ ଜଣ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ସୋହଡ଼ା ପଂଚାୟତର ପୂର୍ବତନ ୱାର୍ଡ ମେମ୍ବର ଗଜେନ୍ଦ୍ର ଦାସ, ଦିଲୀପ ସାହ ଓ କହ୍ନେଇ ପୃଷ୍ଟିଙ୍କ ସମେତ ୧୫ ଜଣ କର୍ମୀ ବିଜେଡିକୁ ସବୁଦିନ ପାଇଁ ବାଏ-ବାଏ କରିଛନ୍ତି। ଖଡ଼ିପଦାରେ ଦଳର ମୁଖ୍ୟ ସ୍ୱର କୁହାଯାଉଥିବା ଭାଗିରଥୀ ଷେଣ୍ଢ, ଦାମୋଦର ଘଡ଼େଇ ଓ ରବିନାରାୟଣ ଦାସଙ୍କ ସମେତ ୧୩ ଜଣ ନେତା ବିଜେପିର ଆଦର୍ଶକୁ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ ସୂତାର ,ସାଂସଦ ପ୍ରତିନିଧି ମନୋଜ ମଲିକ, ଦୋବଲ ପଂଚାୟତ ସରପଂଚ ଅଶୋକ କୁମାର ପଣ୍ଡା,ପଂଚାୟତ ସଭାପତି ପ୍ରଦୀପ ପଣ୍ଡା,ଆନନ୍ଦପୁର ପଂଚାୟତ ର ପୂର୍ବତନ ସମିତି ସଭ୍ୟ ରମେଶ ପତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ରହି ବିଜେଡିର ବିଫଳତା ଉପରେ ବର୍ଷି ଥିଲେ।