Odiapua.com

ଦୋକାନ ବଜାର ସମ୍ମୁଖରେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲଂଘନ

ପୁରୀ ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅନଲକ୍‌-୫ ଖୋଲିଯିବା ପରେ କରୋନା କଟକଣାକୁ ହାଲୁକା କରିଥିବା ଯୋଗୁଁ ସହରରେ କରୋନା କଟକଣାକୁ ଲୋକମାନେ ସଠିକ ଭାବେ ପାଳନ କରୁନଥିବା ଦେଖାଯାଏ। ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ।। ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ସହରରେ ବିଭିନ୍ନ ମାର୍କେଟ କମ୍ପେ୍ଲକ୍ସ, ଦୋକାନ ବଜାର, ପରିବା ମାର୍କେଟ, ମାଛ ମାର୍କେଟ ଆଦିକୁ ଆସୁଥିବା ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖାଯାଏ। ସେହିପରି ଅଧିକାଂଶ ଲୋକ ମାସ୍କ ମଧ୍ୟ ବ୍ୟବହାର ନ କରି ଗହଳି ସ୍ଥାନରେ ବୁଲୁଥିବା ଦେଖାଯାଉଛି। କେତେକ ବ୍ୟକ୍ତି ମାସ୍କକୁ ନାମକୁ ମାତ୍ର ନାକ ତଳେ ଲଗାଇ ଯାଉଥିବା ଦେଖାଯାଏ। ସେହିପରି ସହରକୁ ବିଶେଷ ପର୍ଯ୍ୟଟକ ନ ଆସିଥିଲେ ମଧ୍ୟ ବେଳାଭୂମିରେ ଗହଳି ଚହଳି ଆରମ୍ଭ ହୋଇଯାଇଛି। ଏବଂ ବେଳାଭୂମିରେ ଚୌକି ପକାଇବା ଓ ରଙ୍ଗ ବେରଙ୍ଗର ଛତା ଲଗାଇ ଲୋକମାନଙ୍କ ଠାରୁ ପଇସା ଆଦାୟ କରି ବସାଉଥିବା ମଧ୍ୟ ଅଭିଯୋଗ ହେଉଛି। ମାଳ ମାଳ ଛତା ଓ ଚୌକି ପକା ଯାଉଥିବା ଯୋଗୁଁ ବେଳାଭୂମି ନିକଟରେ ଛିଡ଼ା ହୋଇ ପର୍ଯ୍ୟଟକମାନେ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବେଳାଭୂମିରେ ମଧ୍ୟ ଲୋକମାନେ ଦଳ ଦଳ ହୋଇ ଏକତ୍ରିତ ବୁଲୁଥିବା ଦେଖାଯାଉଛି। ଆସନ୍ତା ଶୀତ ସମୟରେ ସଂକ୍ରମଣର ଅଧିକ ଆଶଙ୍କା ଥିବା ଡାକ୍ତରମାନେ ପରାମର୍ଶ ଦେଉଥିଲେ ମଧ୍ୟ ସାଧାରଣ ଲୋକ ଉକ୍ତ ପରାମର୍ଶ ପ୍ରତି ସଚେତନ ଦେଉନଥିବା ଦେଖାଯାଏ। ବର୍ତ୍ତମାନ ପୁରୀ ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। କିନ୍ତୁ ଯଦି ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ଜନସାଧାରଣଙ୍କ ପାଇଁ ଦୁଃଖଦାୟକ ହେବ ତାହା କୁହାଯାଇନପାରେ। ଜିଲ୍ଲା ପ୍ରଶାସନ ବିଭିନ୍ନ ଗହଳି ସ୍ଥାନଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି। ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ ମାଳ ମାଳ ହୋଇ ଫାଷ୍ଟଫୁଡ଼ ଦୋକାନ ଓ ଠେଲା ଗାଡ଼ିଗୁଡ଼ିକରେ ଖାଦ୍ୟପଦାର୍ଥ ବିକ୍ରି ହେଉଥିବା ମଧ୍ୟ ଦେଖାଯାଏ। ଦୋକାନଗୁଡ଼ିକ ସମ୍ମୁଖରେ ଅଧିକ ଲୋକଙ୍କୁ ଏକସଙ୍ଗେ ଏକତ୍ରିତ କରିବା ପାଇଁ ବାରଣ ରହିଥିଲେ ମଧ୍ୟ ତାହା ପାଳନ ହେଉନଥିବା ଅଭିଯୋଗ ହେଉଛି।