Odiapua.com

ଦୋକାନଘର ଯୋଗାଇବାକୁ ମଞ୍ଜୁରୀରୋଡ ବ୍ୟବସାୟୀଙ୍କ ପକ୍ଷରୁ ଦାବିପତ୍ର

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦୋକାନଘର ଯୋଗାଇବାକୁ ମେଳି କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ରାସ୍ତା ପ୍ରଶସ୍ତିକରଣ ଆଳରେ ଗତ ସେପ୍ଟେମ୍ବର ୨ ଓ ୩ ତାରିଖରେ ବେଆଇନ ଭାବେ ୩ଶହରୁ ଅଧିକ ଦୋକାନଘରକୁ ତହସିଲ ପକ୍ଷରୁ ଅଚାନକ ଉଚ୍ଛେଦ କରାଯାଇଥିଲା । ବିଧାୟକ ପ୍ରତିନିଧିଙ୍କ ଉପସ୍ଥିତିରେ ତହସିଲଦାର ସରୋଜକାନ୍ତ ନାୟକ ମଞ୍ଜୁରୀରୋଡ ଯାଇ ବ୍ୟବସାୟୀଙ୍କୁ ୧ମାସ ମଧ୍ୟରେ ଦୋକାନଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ବଜାର କମିଟି ଓ ରାଜସ୍ୱ ନିରୀକ୍ଷକଙ୍କ ମିଳିତ ସର୍ଭେ ଦ୍ୱାରା ବ୍ୟବସାୟ ହରାଇବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ତାଲିକା ଅନୁଯାୟୀ ଦୋକାନଘର ଯୋଗାଇ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ଘୋଷଣା କରିଥିଲେ । ଗତ କାଳୀପୂଜା ସମୟରେ ବିଧାୟକ ମଞ୍ଜୁରୀରୋଡ ବଜାର କାଳୀ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ବ୍ୟବସାୟୀମାନେ ମଧ୍ୟ ମିଳିତ ହୋଇ ଜୀବିକା ହରାଇ ହନ୍ତସନ୍ତ ହେଉଥିବା ଜଣାଇଥିଲେ । ବିଧାୟକ ଏଥିନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ହେଲେ ସମୟ ଗଡିବା ସହ ପଦ୍ମ ଘୁଞ୍ôଚ ଘୁଞ୍ôଚ ଯାଉଛି । ବ୍ୟବସାୟୀମାନେ ରୋଜଗାର ହରାଇ ଅତିଷ୍ଠ ହୋଇପଡିଲେଣି । ଦୋକାନ ଯୋଗାଇବାର କୌଣସି ସୂଚନା ଦେଖାଯାଉନାହିଁ । ସେମାନେ ଏବେ ଧୈର୍ଯ୍ୟ ହରାଇ ରାଜନେତାଙ୍କ କଥାରେ ପଡି ପ୍ରତିଶ୍ରୁତି ଦେଇଥିବା ତହସିଲଦାରଙ୍କ ଦ୍ୱାରରେ ମିଳିତ ହୋଇ ମେଳି କରିଛନ୍ତି । ବ୍ୟବସାୟୀ ପ୍ରମୋଦ କୁମାର ଦାସ, ରାମକୃଷ୍ଣ ସେନାପତି, ସନ୍ତୋଷ କୁମାର ବାରିକ, ତରଣୀସେନ ମହାନ୍ତି, ବିଷ୍ଣୁଚରଣ ବାରିକ, ବିଦ୍ୟାଧର ସେଠୀ, ସୁଧାକର ବାରିକ, ଅମର ଶଙ୍ଖୁଆ, ତପନ କୁଣ୍ଡୁ, ଦୁଷ୍ଣନ୍ତ ଲେଙ୍କା, ବସନ୍ତ କୁମାର ସାହୁ, ବଦ୍ରୀନାରାୟଣ ଶଙ୍ଖୁଆ ପ୍ରମୁଖ ଏଥିନେଇ ଦାବିପତ୍ର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନହେଲେ ତହସିଲ ସମ୍ମୁଖରେ ଅନଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।