Odiapua.com

ପାଠପଢିବାକୁ ପରିବାର ଲୋକେ ବାଧ୍ୟ କରିବାରୁ, ଦେହରେ ନିଆଁ ଲଗେଇ ଛାତ୍ରଙ୍କ ଆତ୍ମହତ୍ୟା

ବାରିପଦା ୧୦-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ପାଠ ପାଇଁ ହେଲା ସର୍ବନାଶ। ପାଠପଢିବାକୁ ପରିବାର ଲୋକେ ବାଧ୍ୟ କରିବାରୁ ରାଗରେ ନିଜକୁ ଜାଳିଦେଲା ଛାତ୍ର। ଏଭଳି ଏକ ଅଭାବନୀୟ ସମ୍ବେଦନଶୀଳ ଘଟଣା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି। ପାଠପଢିବା ପାଇଁ ଅନିଛୁକ ଜଣେ ଅଷ୍ଟମଶ୍ରେଣୀ ଛାତ୍ର ନିଜଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ତେବେ ବାରିପଦା ପିଆରଏମ୍ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୁଚନା ମୁତାବକ ଛାତ୍ର ଜଣଙ୍କ ସ୍କୁଲ ଯିବାକୁ ମନା କରିବାରୁ ଘରଲୋକ ତାକୁ ବାଧ୍ୟ କରିଥିଲେ। ଫଳରେ ରାଗିଯାଇ ଛାତ୍ର ଜଣକ ଘରେ କବାଟ ବନ୍ଦ କରି ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ପରିବାର ଲୋକେ ଉଦ୍ଧାର କରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ ତୁରନ୍ତ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସା ଆରମ୍ଭର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ହେଲେ ନବୀନ ମାର୍ଣ୍ଡୀଙ୍କ ପୁଅ କାଳିଦାସ ମାର୍ଣ୍ଡି (୧୩) ବୋଲି ଜଣାପଡିଛି।