Odiapua.com

ଦେଶ ବିରୋଧୀ ଅଡିଓ ବାର୍ତ୍ତା ଦେଇ ଫସିଲା ଯୁବକ, ଗିରଫ କଲା ଜଗତପୁର ପୋଲିସ

କଟକ, ୨୮/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ଦେଶ ବିରୋଧୀ ଓ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବା ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ସାଲେପୁର ବ୍ଲକ ପଶ୍ଚିମକଚ୍ଛ ପଞ୍ଚାୟତ ସାତବାଟିଆ ଗ୍ରାମର ମହମ୍ମଦ ଅରମାନ। ଏଥି ସହ ପୋଲିସ ତା ନିକଟରୁ ଏକ ମୋବାଇଲ୍ ଜବତ କରିଛି। ପୋଲିସର ସୂଚନା ମୁତାବକ ୨୪ ତାରିଖରେ ଅନୁଷ୍ଠିତ ଟି ୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ଏହାକୁ ନେଇ ଅରମାନ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ଅପମାନଜନକ ଏକ ଅଡିଓ ବାର୍ତ୍ତା ନିଜର ମୋବାଇଲରୁ ସୋସିଆଲ ମିଡ଼ିଆ ହାଟ୍ସଆପ୍‌ ଗ୍ରୁପରେ ପୋଷ୍ଟ କରିଥିଲା।ଯେଉଁଥିରେ ଦେଶ ବିରୋଧୀ ମନ୍ତବ୍ୟ ସହ ସେ ପାକିସ୍ତାନକୁ ଭଲ ପାଏ ବୋଲି କହିଥିଲା। ଏହି ଅଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂପର୍କରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର କୌଣସି ସୂତ୍ରରୁ ଖବର ପାଇ ଏହାର ସତ୍ୟତା ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସାତବାଟିଆ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଓ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ନେବା ପରେ ଘଟଣାର ସତ୍ୟତା ଥିବା ସେ ଜାଣିବାକୁ ପାଇଥିଲେ।ଏହି ଘଟଣାରେ ଜଗତପୁର ପୋଲିସ ଏକ ମାମଲା ରୁଜୁ କରି ସିଆରପିସି ୧୬୧ରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏନେଇ ଜଗତପୁର ଥାନାରେ କେସ ନମ୍ବର ୪୫୩/୨୧ ରେ ଆଇପିସି ଧାରା ୧୫୩(ଖ), ୨୯୪, ୫୦୪, ୫୦୫(୨), ୫୦୬, ଆରଟିଆଇ ଆରଡବ୍ଲୁ ୬୭ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଗତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଓ ଭାରତ ବିରୋଧୀ ତତ୍ୱ ବିରୋଧ ରେ ଏକ ଶୋଭାଯାତ୍ରା ସନ୍ଧ୍ୟାରେ ଆୟୋଜିତ ହୋଇଛି।