Odiapua.com

ଦେଶାତ୍ମବୋଧକ ସଙ୍ଗୀତ ଓ ସାଧାରଣଜ୍ଞାନ ପ୍ରତିଯୋଗିତା

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସାଳନ୍ଦୀ ହସ୍‌ପିଟାଲର ପୃଷ୍ଠପୋଷକତାରେ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଅଗଷ୍ଟ ୭ତାରିଖ ପୂର୍ବାହ୍ନରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ, ୯ମ ରୁ ୧୦ ପିଲାଙ୍କୁ ନେଇ ବରିଷ୍ଠ ବିଭାଗ ମଧ୍ୟରେ ଏହି ପ୍ରତିଯୋଗିତା କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକ ଓ ଭଦ୍ରକ ପୌରାଞ୍ଚଳର ସ୍କୁଲମାନଙ୍କରୁ ଏହି ପ୍ରତିଯୋଗିତାରେ ସମୁଦାୟ ୬୮ଜଣ ପିଲା ଅଂଶ ଗ୍ରହଣ କରିଥିଲେ । ସାଳନ୍ଦୀ ହସ୍‌ପିଟାଲ୍‌ର ସତ୍ୱାଧିକାରୀ ଡ଼ା. ପ୍ରଭାସ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସଂଗୀତ ଗୁରୁ ରାମନାରାୟଣ ମହାନ୍ତି, ରମେଶ ଚନ୍ଦ୍ର ନନ୍ଦ, ସରୋଜକାନ୍ତ ନାୟକ, ବିଭୂତି ଭୂଷଣ ଦାସ, ପ୍ରଶାନ୍ତ କୁମାର ଓଝା ଏବଂ ସୀତାକାନ୍ତ ଦାସ ପ୍ରମୁଖ ବିଚାରକ ଦାୟିତ୍ୱ ନିର୍ବାହ କରି ମୂଲ୍ୟାଙ୍କନ କରିଥିଲେ । କନିଷ୍ଠ ବିଭାଗରେ ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲର ପ୍ରାର୍ଥନା ପାଣିଗ୍ରାହୀ ୧ମ, ଜ୍ୟୋାତିକନ୍‌ଭେଂଟ ସ୍କୁଲର ସମୀକ୍ଷା ନାୟକ ୨ୟ, ଡ଼ି.ଏ.ଭି.ଏସ୍‌.ଡ଼ି.ପି.ଏସ୍‌. ରାନ୍ଦିଆର ପ୍ରିଶା ମହାନ୍ତି ୩ୟ ଏବଂ ବରିଷ୍ଠ ବିଭାଗର ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିରର ହିମାଦ୍ରି ତନୟା ପଣ୍ଡା ୧ମ, ଡ଼ି.ଏ.ଭି.ଏସ୍‌.ଡ଼ି.ପି.ଏସ୍‌.ର ଓମ୍ ରଥ ୨ୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ସୋନାକ୍ଷୀ ଶୁଭଦର୍ଶନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ ଦିନ ଅପରାହ୍ନରେ ସାଳନ୍ଦୀ ନର୍ସିଂ ସ୍କୁଲ ପୃଷ୍ଠପୋଷକତାରେ କନିଷ୍ଠ ଓ ବରିଷ୍ଠ ବିଭାଗ ମଧ୍ୟରେ ଲିଖିତ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୭୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଉଭୟ ପ୍ରତିଯୋଗିତାରେ ଉପସ୍ଥିତ ରହି ପ୍ରତିଯୋଗିତା ଆୟୋଜନରେ ଆନୁସଙ୍ଗିକ ମାର୍ଗଦର୍ଶିକା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।