Odiapua.com

ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଭଦ୍ରକ ଜିଲା ବିଜେପିର ବିଜୟ ଉତ୍ସବ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥର୍ୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏଣୁ ଆଜି ଭାରତର ନବ ନିର୍ବାଚିତ ତଥା ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସମଗ୍ର ଭାରତବର୍ଷରେ ବିଜୟ ଉତ୍ସବ ପାଳୁଛି ବିଜେପି। ତେବେ ଦ୍ରୌପଦୀ ଓଡ଼ିଶାର ଝିଅ ହୋଇଥିବାରୁ ଏହାର ପୁରପଲ୍ଲୀ ସହର ଅଧିକ ଉତ୍ସବ ମୁଖରିତ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଭଦ୍ରକର ସହୀଦ ସ୍ମୃତି ଭବନ ଛକରେ ଜିଲା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ଯୁବମୋର୍ଚ୍ଚା ରାଜ୍ୟ ଆଇଟି ସେଲ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ଜିଲା ଉପସଭାପତି ଶଶିକାନ୍ତ ବିଶ୍ୱାଳ, ସାଧାରଣ ସଂପାଦକ ଶ୍ରୀହର୍ଷ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ ପ୍ରମୁଖ ବିଜୟ ଉତ୍ସବ ପାଳନ କରି ପରସ୍ପର ତଥା ଜନସାଧାରଣଙ୍କ ମଧ୍ୟରେ ବାଜା ରୋଷଣି ଓ ମାଦଳର ତାଳେ ତାଳେ ମିଷ୍ଟାନ ବଣ୍ଟନ କରିଛନ୍ତି। ସେହିପରି ଭଦ୍ରକ ଜିଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ହରିପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲା ସଂପାଦିକା ଚୈତାଳି ଖିଲାର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୁଖ ବନ୍ତ ନିକଟସ୍ଥ ଆଦିବାସୀ ବସ୍ତିକୁ ଯାଇ ବିଜୟ ଉତ୍ସବ ପାଳିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ପକ୍ଷରୁ ବସ୍ତିରେ ମିଷ୍ଟାନ ବଣ୍ଟନ କରାଯିବା ସହ ମହିଳା ଓ ଛୋଟ ଛୋଟ ପିଲାଙ୍କୁ ଜଣେ ଆଦିବାସୀ ମହିଳା ଭାବେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ସେମାନଙ୍କ ପାଇଁ କିଭଳି ଗର୍ବ ଓ ଗୌରବର ବିଷୟ ପାଲଟିଛି, ତାହା ଉଦାହରଣ ସହ ବୁଝାଇଥିଲେ।