Odiapua.com

ଦେଶର ସ୍ୱାର୍ଥ ନୁହେଁ ବରଂ କ୍ଷମତା ହାତେଇବା ପାଇଁ ବିରୋଧୀ ଚଲାଇଛନ୍ତି ଅପପ୍ରଚାର: ସମୀର ମହାନ୍ତି

ଯାଜପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର ୨୨-୧ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନିବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତିସିଏଏ ଦ୍ୱାରା ଭାରତ କିମ୍ବା ଯାଜପୁରରେ ରହୁଥିବା କୌଣସି ମୁସଲମାନ ଭାଇ ଭଉଣୀଙ୍କର ନାଗରିକତା ଯିବନି‘୮୮୬୬୨-୮୮୬୬୨’ ନମ୍ବରରେ ମିସଡ କଲ ଦେଇ ସିଏଏକୁ ସମର୍ଥନ ଜଣାଇଲେ ଉପସ୍ଥିତ ଜନତାଯାଜପୁର/ଭୁବନେଶ୍ୱର, ତା.୨୨/୦୧: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ଯାଜପୁରଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିରୋଧୀ କଂଗ୍ରେସ ଏବଂ କିଛି ଆଂଚଳିକ ଦଳ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି। ଏହି ଆଇନ ଦ୍ୱାରା ଭାରତ କିମ୍ବା ଜଗତସିଂହପୁରର ରହୁଥିବା କୌଣସି ମୁସଲମାନ ନାଗରିକର ନାଗରିକତା ଯିବନି। ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତ୍ତନ କରାଇଛି। ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ। ଯେଉଁ ବିରୋଧୀମାନଙ୍କୁ ଦେଶବାସୀ ସାଧାରଣ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ସେମାନେ ଆଜି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇ କ୍ଷମତା ହାତେଇବାକୁ ଏଭଳି ଅପପ୍ରଚାର ଚଲାଇଛନ୍ତି।

ଶ୍ରୀ ମହାନ୍ତି ମୁସଲିମ ଶରଣାର୍ଥୀ ମାନଙ୍କୁ ବିଶ୍ୱାସ ଦେବାକୁ ଯାଇ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ଯାଜପୁର ଜିଲ୍ଲାର ସମସ୍ତ ଶରଣାର୍ଥୀଙ୍କୁ ନାଗରକିତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି। ‘ସବକା ସାଥ – ସବକା ବିକାଶ -ସବକା ବିଶ୍ୱାସ’ର ମୂଳମନ୍ତ୍ରକୁ ଆଧାର କରି ମୋଦି ସରକାର ଦେଶକୁ ବିକାଶର ପଥରେ ଆଗେଇ ନେଇ ଚାଲିଛନ୍ତି। ଏହା ସହ ‘୮୮୬୬୨-୮୮୬୬୨’ ନମ୍ବରରେ ମିସଡ କଲ ଦେଇ ସିଏଏ ସମର୍ଥନ ଦେବାକୁ ଶ୍ରୀ ମହାନ୍ତି ଜନସାଧାରଣମାନଙ୍କୁ ଅନୁରୋଧ କରିଥିଲେ।

ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭାରତର ଜଣେ ବି ମୁସଲମାନ ଭାଇ ଭଉଣୀଙ୍କୁ ଦେଶ ବାହାରକୁ ପଠାଯିବ ନାହିଁ। କେବଳ ନାଗରିକତା ପ୍ରଦାନ ଏହି ଆଇନର ମୁଖ୍ୟ ଲକ୍ଷ୍ୟ। ପାକିସ୍ତାନରେ ଧର୍ମ ଉତ୍ପୀଡନରେ ଶିକାର ହୋଇଥିବା ଆମ ଭାଇ ଭଉଣୀମାନଙ୍କୁ ସୁରକ୍ଷା ଦେବା ଆମର କର୍ତବ୍ୟ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ପୂର୍ବରୁ ଅନେକ ଲୋକଙ୍କୁ କଂଗ୍ରେସ ସରକାର ନାଗରିକତା ପ୍ରଦାନ କରିଛି। ଏବେ ଏହି ଆଇନକୁ ସଂଶୋଧନ କରି ଶରଣାର୍ଥୀ ମାନଙ୍କୁ ପୂର୍ଣ୍ଣ ନାଗରିକତା ଦେବା ପାଇଁ ମୋଦି ସରକାର ପ୍ରୟାସ କରିଛନ୍ତି। ଏହା ଦ୍ୱାରା କୌଣସି ଶରଣାର୍ଥୀଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଂଚିତ ରଖାଯିବନି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି।

ସଭା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ଗାନ୍ଧୀ ଛକରୁ ଠାରୁ ବାହାରି ପୂରା ସହର ପରିକ୍ରମା କରି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା। ଶୋଭାଯାତ୍ରା ସମୟରେ ବଡ ବଜାର ଛକ, ନାରାୟଣ ଛକ, ଗରିଆପୁର ଛକ, ମେଡିକାଲ ଛକ ଠାରେ ଓକିଲ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସିଏଏ ଶୋଭାଯାତ୍ରକୁ ସମର୍ଥନ ଜଣାଇଥିଲେ।

ଏହି ସମାବେଶରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ଗୌତମ ରାୟ, ଲୋକସଭା ପ୍ରାର୍ଥୀ ଅମୀୟ ମଲ୍ଲିକ, ବିଧାନସଭା ପ୍ରାର୍ଥୀ ଅମର ନାୟକ, ବିଶ୍ୱ ମଲ୍ଲିକ, ବବିତା ମଲ୍ଲିକ, ବିଶ୍ୱଜିତ ନାୟକ, ପବିତ୍ର ମୋହନ ଦାସ, ପ୍ରଦୀପ ବଳସାମନ୍ତ ଏବଂ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନଗର ସଭାପତି ମୃତ୍ୟୁଜଂୟ ମିଶ୍ର, ସୁଦୀପ୍ତ ପଣ୍ଡା, ବରି ପଂଚାୟତ ସମିତି ଅଧ୍ୟକ୍ଷା ପ୍ରଭାସିନୀ ଶର୍ମା, କୋରେଇ ପଂଚାୟତ ସମିତି ଅଧ୍ୟକ୍ଷା ମାଳତୀ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ସମାବେଶ ପରେ ଶ୍ରୀ ମହାନ୍ତି ଯାଜପୁର ବ୍ଲକ ବାଣପୁର ଗ୍ରାମର ଗ୍ରାମବାସୀ ଏବଂ ପ୍ରଶାନ୍ତ କୁମାର ସାହୁଙ୍କ ପରିବାରକୁ ଯାଇ ସିଏଏ ସମ୍ବନ୍ଧିତ ସଚେତନତା ସଂପର୍କରେ ଅବଗତ କରାଇଥିଲେ। ଆଜିର ଏହି ସମାବେଶରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥିଲେ।