Odiapua.com

ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଦେଶବାସୀଙ୍କ ଆଶା

ଡ. ସମନ୍ୱୟ ନନ୍ଦ

ନରେନ୍ଦ୍ର ମୋଦି କ୍ୟାବିନେଟରେ ବର୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାମିଲ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ ନିଷ୍ପତି। ଅମିତ ଶାହଙ୍କର ଦଳୀୟ ସଂଗଠନରେ କାମ କରିବାର ପ୍ରବଳ ଅଭିଜ୍ଞତା ରହିଛି। ଏହା ବାଦ ପ୍ରଶାସନ ଚଳାଇବାର ମଧ୍ୟ ତାଙ୍କୁ ଢେର ଅଭିଜ୍ଞତା ରହିଛି। ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାତର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅମିତ ଶାହ ଗୁଜରାତ ସରକାରରେ ଗୃହ ମନ୍ତ୍ରୀ ଭାବେ କାମ କରି ସାରିଛନ୍ତି। ତେଣୁ ପ୍ରଶାସନରେ ତାଙ୍କର ଅଭିଜ୍ଞତା ରହିଛି। ଗୁଜରାତରେ ଗୃହ ମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ସଫଳ ହୋଇଛନ୍ତି। ଅମିତ ଶାହ ମିଶନ ନେଇ କାମ କରୁଥିବା ଭାବେ ଜଣା ଶୁଣା। ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ୟୁପିଏ ସରକାର ସମୟରେ ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ବୋମା ବିସ୍ଫୋରଣ ହେଉଥିଲା। ତେବେ ୨୦୧୪ରେ ମୋଦି ସରକାର କ୍ଷମତାରେ ଆସିବା ପରେ ଆଭ୍ୟନ୍ତରୀଣ ସ୍ଥିତି ପ୍ରାୟତଃ ଭଲ ଅଛି।

ଦେଶ ସମ୍ମୁଖରେ ଦୁଇଟି ପ୍ରସଙ୍ଗ ଜ୍ୱଳନ୍ତ ପ୍ରସଙ୍ଗ ରହିଛି ଯାହାର ସମାଧାନ କରିବା ଅମିତ ଶାହ ଙ୍କ ପାଇଁ ଚ୍ୟାଲେଂଜ ହେବ। ଗୋଟିଏ ହେଲା ଦେଶର ବିଭିନ୍ନ ଭାଗରେ ମାଓବାଦା ବା ନକ୍ସଲବାଦୀ ମାନଙ୍କ ଗତିବିଧି ଓ ଦ୍ୱିତୀୟଟି ହେଲା ଜାମ୍ମୁକାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀ ଓ ଭାରତ ବିରୋଧୀ ବିଛିନ୍ନତାବାଦୀ ମାନଙ୍କର ଗତିବିଧି।

ଜନସଂଘ ହେଉ ବା ଏହାର ପରବର୍ତ୍ତୀ ସଂସ୍କରଣ ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ମତ ରହିଛି ଯେ ଅନୁଛେଦ -୩୭୦ ବଳବତର ଥିବା କାରଣରୁ କାଶ୍ମୀର ସମସ୍ୟାର ସମାଧାନ ଦିଗରେ କଷ୍ଟ ହେଉଛି। ଜନସଂଘର ତତ୍କାଳୀନ ଅଧ୍ୟକ୍ଷ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଅଖଣ୍ଡତାକୁ ନେଇ ପ୍ରାଣବଳୀ ଦେଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଅମିତ ଶାହ ଚଳିତ ସାଧାରଣ ନିର୍ବାଚନ ବେଳେ ବିଶେଷ ଭାବରେ ଉତର ଭାରତରେ ତାଙ୍କର ନିର୍ବାଚନୀ ସଭା ମାନଙ୍କରେ ଜାମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ଓ ୩୫-ଏ କୁ ସମାପ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ହିମାଚଳ ପ୍ରଦେଶର ସିମଲା ଠାରେ ସେ ସାଧାରଣ ସଭାକୁ ଉଦବୋଧନ ଦେଇ କହିଥିଲେ ଯେ ଅନୁଛେଦ ୩୭୦ ଓ ୩୫-ଏ କୁ ହଟାଇବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। କେବଳ ସେତିକି ନୁହେଁ ଉତର ପ୍ରଦେଶର ବାଲିଆ ଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଅମିତ ଶାହ କହିଥିଲେ ଯେ “ ଉମର ଅବଦୁଲ୍ଲା କହୁଛନ୍ତି ଯେ କାଶ୍ମୀରରେ ଆଉ ଏକ ପ୍ରଧାନମନ୍ତ୍ରୀ ଦରକାର। ଗୋଟିଏ ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀ କିପରି ରହିପାରିବେ। ଏହି ଲୋକ ମାନେ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀ ଓ ଉମର ଅବଦୁଲ୍ଲା ଭଲ ଭାବେ ଜାଣି ରଖିବା ଉଚିତ ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଯେ ପର୍ଯ୍ୟନ୍ତ ବିଜେପି ଦଳ ରହିଛି ସେ ପର୍ଯ୍ୟନ୍ତ କାଶ୍ମୀରକୁ କେହି ଭାରତରୁ ଅଲଗା କରି ପାରିବେ ନାହିଁ। ଆପଣ ମାନେ ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ମୋଦିଙ୍କୁ ବାଛନ୍ତୁ, ଆମେ ଅନୁଚ୍ଛେଦ ୩୭୦କୁ ହଟାଇବୁ। ”

କେବଳ ଏତିକି ନୁହେଁ ବିଜେପି ସଭାପତି ଭାବେ ଅମିତ ଶାହ ଜାମ୍ମୁ ସମେତ ଅନ୍ୟ ସ୍ଥାନରେ ହୋଇଥିବା ବିଭିନ୍ନ ର୍ୟାଲୀରେ କାଶ୍ମୀରରୁ ଧାରା ୩୭୦ ଓ ୩୫- ଏ କୁ ଉଚ୍ଛେଦ କରିବ ବୋଲି କହି ଆସିଛନ୍ତି। ବିଜେପି ତାର ସଂକଳ୍ପପତ୍ରରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ ଧାରା -୩୭୦ ଓ ୩୫ଏକୁ ଉଚ୍ଛେଦ କରା ଯିବ। ତେଣୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଅମିତ ଶାହ ଦାୟିତ୍ୱ ନେଲା ପରେ ବିଜେପିର ସଂକଳ୍ପକୁ ପୂରଣ କରିବାର ଦାୟିତ୍ୱ ରହିବ। ତେବେ ଅମିତ ଶାହଙ୍କର ଏପରି ଭାବମୂର୍ତି ରହିଛି ଯେ ସେ ଯେଉଁ କାମ ହାତକୁ ନିଅନ୍ତି ସେହି କାମକୁ ପୂରଣ କରନ୍ତି। ତେଣୁ ସେ ନିଜେ ଦଳୀୟ ସଭାପତି ଭାବେ ଘୋଷଣା କରିଥିବା ଉପରୋକ୍ତ ପ୍ରସଙ୍ଗ ଗୁଡିକୁ ପୂରଣ କରିବେ, ଏପରି ଆଶା କରା ଯାଉଛି। ଏହି ଦୃଷ୍ଟିରୁ ଅମିତ ଶାହଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀର ଦାୟିତ୍ୱ ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଉଚିତ ପଦକ୍ଷେପ ବୋଲି କୁହା ଯାଇ ପାରିବ। କାରଣ ଦୀର୍ଘ ଦିନରୁ ପଡି ରହିଥିବା ଏହି ପ୍ରସଙ୍ଗର ସମାଧାନ ପାଇଁ ଯେପରି ନେତୃତ୍ୱ ଓ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ତାହା ଅମିତ ଶାହଙ୍କ ନିକଟରେ ରହିଛି।

ଅନୁରୂପ ଭାବେ ଲାଲ ଆତଙ୍କ ଭାରତ ବର୍ଷର ବିଭିନ୍ନ ଭାଗକୁ କ୍ଷତ ବିକ୍ଷତ କରି ଚାଲିଛି। ସାଧାରଣ ନୀରିହ ନାଗରିକ ମାନଙ୍କ ବ୍ୟତୀତ ଅର୍ଧ ସୈନିକ ବଳ ଓ ପୋଲିସ ଜବାନ ମାନଙ୍କ ବଳିଦାନ ହେଉଛି। ଅମିତ ଶାହ ଏହି ଚ୍ୟାଲେଂଜକୁ ମଧ୍ୟ ସଫଳତାର ସହ ସାମନା କରିବେ ବୋଲି ଆଶା କରା ଯାଉଛି।