Odiapua.com

ଦେଶର ଜନତା ବଶଂବାଦ, ପରିବାରବାଦ ଓ ଜାତିବାଦକୁ ପ୍ରତ୍ୟାଖାନ କରିଛନ୍ତି: ଶିବାରଜ ସିଂହ ଚୌହାନ

ସାମ୍ବାଦିକ ସମ୍ମିଳନୀରେ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
– କ୍ଷମତା ପାଇଁ ନୁହେଁ ରାଷ୍ଟ୍ର ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି
– ବିଜେପି ସରକାରର ମୂଳମନ୍ତ୍ର ସବ୍ କା ସାଥ୍ ସବ୍ କା ବିକାଶ ଏବଂ ସଙ୍ଗଠନ ମୂଳମନ୍ତ୍ର ସର୍ବ ବ୍ୟାପି, ସର୍ବ ସ୍ପର୍ଶୀ
– କଂଗ୍ରେସ ପରିବାରବାଦ ରାଜନୀତିରେ ବିଶ୍ୱାସ କରେ
– ପରାଜୟରୁ କଂଗ୍ରେସ କିଛି ଶିକ୍ଷାଲାଭ କରିନାହିଁ
– କାଶ୍ମିରୀର ଏଭଳି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହୁରୁ ଦାୟୀ
– ବିଜେପି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ଦେଇଛନ୍ତି
– ଦୀର୍ଘ ୨୦ ବର୍ଷ ବିଜେଡି ଶାସନ କଲା ପରେ ବି ରାଜ୍ୟରେ ବିକାଶ ହୋଇପାରି ନାହିଁ
– ରାଜ୍ୟରେ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିଲା ନାହିଁ କାହିଁକି ?
– ରାଜ୍ୟ ସରକାର ଚାଷୀଙ୍କ ତାଲିକା ପ୍ରସ୍ତୁତ କରିନପାରିବା କାରଣରୁ ପ୍ରାଧନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ରାଶି ମିଳିପାରି ନାହିଁ
– ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ଗରୀବଙ୍କ ସ୍ୱାସ୍ଥ୍ୟ ସେବାରେ ବାଧକ ସାଜିଛନ୍ତି

ଭୁବନେଶ୍ୱର, ୧୧/୦୮ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟି ଉପରେ ଲୋକ ଆସ୍ଥା ବଢିଛି। କ୍ଷମତା ପାଇଁ ନୁହେଁ ରାଷ୍ଟ୍ର ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ ସଂସଦରେ ଅନେକ ଐତିହାସିକ ବିଲ୍ ପାରିତ ହୋଇଛି। ବିଜେପି ସରକାରର ମୂଳମନ୍ତ୍ର ସବ୍ କା ସାଥ୍ ସବ୍ କା ବିକାଶ, ସବକା ବିଶ୍ୱାସ ଏବଂ ସଙ୍ଗଠନ ମୂଳମନ୍ତ୍ର ସର୍ବ ବ୍ୟାପି, ସର୍ବ ସ୍ପର୍ଶୀ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜନତା ବିଜେପିରେ ସାମିଲ ହେଉଛନ୍ତି। ଦେଶର ଅନେକ ପ୍ରତିଭା ବିଜେପି ସହିତ ଯୋଡି ହୋଇଛନ୍ତି ଏବଂ ସବୁ ବର୍ଗର ଲେକମାନେ ବିଜପିର ସଦସ୍ୟତା ଗ୍ରହଣ କରିବା ପାଇଁ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି।

ଶ୍ରୀ ଚୌହାନ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶର ଜନତା ବଶଂବାଦ, ପରିବାରବାଦ ଓ ଜାତିବାଦ ଦଳ ଗୁଡିକୁ ହଟାଇ ଦେଇଛନ୍ତି। ଉତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ଦେଶବାସୀ ରାଷ୍ଟ୍ରବାଦ ଓ ବିକାଶକୁ ବାଛିଛନ୍ତି। ଦେଶରେ କଂଗ୍ରେସ ଅତି ନିମ୍ନମାନର ପ୍ରର୍ଦଶନ କରି ପରାଜିତ ହେବା ପରେ ବି ଚେତା ପସିନି। କଂଗ୍ରେସ ପରିବାରବାଦ ରାଜନୀତିରେ ବିଶ୍ୱାସ କରେ। ସେଥିଲାଗି ପୁଣିଥରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଯାଇଛି। ପରାଜୟରୁ କଂଗ୍ରେସ କିଛି ଶିକ୍ଷାଲାଭ କରିନାହିଁ। ଭାରତୀୟ ଜନତା ପାର୍ଟି ପରିବାର କି ବଶଂ ଆଧାରରେ ଚାଲେନି। ଏଠି ଚା ବିକାଳି ପ୍ରଧାନମନ୍ତ୍ରୀ ଏବଂ ଖବରକାଗଜ ବିକାଳି ରାଷ୍ଟ୍ରପତି ହୋଇପାରେ।

ଡ. ଶ୍ୟାମପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୋୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଏବଂ ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀ ଏମାନେ କୌଣସି ପରିବାରବାଦରୁ ଆସି ରାଜନୀତି କରିନାହାଁନ୍ତି। ଆଜି କାଶ୍ମିରୀର ଏଭଳି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହୁରୁ ଦାୟୀ। ସର୍ଦ୍ଦାର ବଲେଭ ଭାଇ ପଟେଲଙ୍କ ନେତୃତ୍ୱ ଥିଲେ ଆଜି ସଂପୂଣ୍ଣ କାଶ୍ମିରୀ ଆମର ହୋଇଥାନ୍ତା। ଅନୁଚ୍ଛେଦ ୩୭୦ ଲଗାଇ ନେହେରୁ ପ୍ରାରମ୍ଭରୁ ଭୁଲ୍ କରିଛନ୍ତି। ତାଙ୍କ ଭୂଲ ପାଇଁ ପାକ୍ ଅଧୀକୃତ କାଶ୍ମିରୀ ଜନ୍ମ ନେଇଛି। ପଣ୍ଡିତ ଜବାହାରଲାଲ ନେହୁରୁଙ୍କର ଏହା ଏକ ଐତିହାସିକ ଭୁଲ୍ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ବିଜେପି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ଦେଇଛନ୍ତି। ଇନ୍ଦିରା ଗାନ୍ଧୀଜୀ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରି ଲୋକତନ୍ତ୍ରକୁ ହତ୍ୟା କରିଥିଲେ। ସୁପ୍ରିମକୋର୍ଟର ଆଦେଶକୁ ଅବମାନନା କରି ସମ୍ବିଧାନକୁ ସଂଶୋଧନ କରି କଂଗ୍ରେସ ଦଳ ଅପରାଧ କରିଥିଲା। ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି।

ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲାବେଳେ ଦେଶରେ ମାଆ ପୁଅ ଶାସନ କରି ଅନେକ ଘୋଟାଲା କରିଛନ୍ତି। ଓଡିଶା ପଛୁଆ, ଦାରିଦ୍ର, ବେରୋଜଗାର ପାଇଁ କଂଗ୍ରେସ ସରକାର ଯେତିକି ଦାୟୀ ଥିଲା ତାହାଠୁ ଅଧିକ ଏବେ ବିଜେଡି ସରକାର ଦାୟୀ। ଓଡିଶାରେ ବିଜେଡି ସରକାର ଶାସନ କାଳରେ ଦୀର୍ଘ ୨୦ ବର୍ଷ ପରେ ବି ରାଜ୍ୟରେ ବିକାଶ ହୋଇପାରି ନାହିଁ। ଏଠାରେ ଏତେ ପରିମାଣ ଜଳ ଥାଇ ମଧ୍ୟ ମାତ୍ର ୩୧ ପ୍ରତିଶତ ଜମିକୁ ଜଳସେଚିତ କରାଯାଇଛି କାହିଁକି ? ୨୦ ବର୍ଷର ଶାସନ କାଳରେ ରାଜ୍ୟରେ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିଲା ନାହିଁ କାହିଁକି ? ରାଜ୍ୟ ସରକାର ଚାଷୀଙ୍କ ତାଲିକା ପ୍ରସ୍ତୁତ କରିନପାରିବା କାରଣରୁ ପ୍ରାଧନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ରାଶି ମିଳିପାରି ନାହିଁ। ନବୀନ ବାବୁଙ୍କ ଶାସନରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟସରକାର କାର୍ଯ୍ୟକାରୀ ନକରି ହଡପ କରିଛି। ସେହିପରି ଆୟୁଷ୍ମାନ ଭାରତ ସାରା ଦେଶରେ ଲାଗୁ ହୋଇଥିବାବେଳେ ନବୀନ ବାବୁ ଓଡିଶାରେ ଏହାକୁ ଲାଗୁ ନକରି ଗରୀବଙ୍କ ସ୍ୱାସ୍ଥ୍ୟ ସେବାରେ ବାଧକ ସାଜିଛନ୍ତି ବୋଲି ଶ୍ରୀ ଚୌହାନ ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭାପତି ତଥା ସାସଂଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ସଦସ୍ୟତା ପ୍ରଭାରି ଅନନ୍ତ ନାୟକ ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।