ଭୁବନେଶ୍ୱର ୮-୧୧ (ଓଡ଼ିଆ ପୁଅ) – ଆଜି ଏକ ପ୍ରେସବାର୍ତ୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦେଶରେ ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଠିକ୍ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିମୁଦ୍ରାୟନକୁ ସଂପୂର୍ଣ୍ଣରୂପେ ଦାୟି କରିଛନ୍ତି। ଏହି ଘୋଷଣା ଫଳରେ ୫ଶହ ଓ ହଜାରେଟଙ୍କିଆ ନୋଟକୁ ରାତାରାତି ସଂପୂର୍ଣ୍ଣଭାବେ ଅଚଳ କରି ଦିଆଯାଇଥିଲା। ଏହାର କୁପରିଣାମ ସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଲା ଯାହାର ଫଳସ୍ୱରୂପ ଆଜି ଦେଶର ଜିଡିପି ୮%ରୁ କମି ବିଯୁକ୍ତ ୨୩%ରେ ପଂହଚିଲାଣି। ବିମୁଦ୍ରାୟନ ଘୋଷଣା ସମୟରେ ନରେନ୍ଦ୍ର ମୋଦି ଯେଉଁ ଚାରୋଟି ପ୍ରମୁଖ କାରଣ ଦର୍ଶାଇଥିଲେ ଯେ କଳାଧନ ଉପରେ ରୋକ ଲାଗିବ, ଜାଲିନୋଟ କାରବାର ବନ୍ଦ ହେବ, ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପପାଇବ। ଏ ସମସ୍ତ କଥା କେବଳ କଥାରେ ହିଁ ସୀମିତ ରହିଗଲା। ନୋଟବନ୍ଦି ସମୟରେ ମୋଦି ଯାହା କହିଥିଲେ ତାହାତ ହେଲା ନାହିଁ ବରଂ ନଗଦ ଟଙ୍କା ଦେଣନେଣର ଅଭାବ ହେତୁ କଳକାରଖାନା ଓ ଉଦ୍ୟୋଗଜଗତ କ୍ଷତିଗ୍ରସ୍ତ ହେଲା ଯାହାଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ଭାବରେ ବଢ଼ିଚାଲିଲା। ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ। ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ। ବର୍ତମାନ ସୁଦ୍ଧା ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସକ୍ଷମ ହୋଇନାହାନ୍ତି କହି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ଦେଶବାସୀଙ୍କ ସହିତ ମୋଦିଙ୍କ ବିଶ୍ୱାସଘାତ ବୋଲି ଅଭିହିତ କରିଛନ୍ତି।