Odiapua.com

ଦେବସ୍ନାନ ପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

କଟକ ୧୦-୬ (ଓଡ଼ିଆ ପୁଅ) ଆସନ୍ତା ୧୪ ତାରିଖ ଦିନ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଶ୍ରୀ ଆର୍‌.କେ ଶର୍ମା, ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ ଏବଂ ପୁରୀ ଏସ୍‌ପି ଡ. କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ ଶୃଙ୍ଖଳିତ ଭାବେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ସମାପ୍ତ କରିବା ନିମନ୍ତେ ଡିଜିପି ଶ୍ରୀ ବଂସଲ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମନ୍ଦିର ପରିସରରେ ଏବଂ ବାହାରେ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଉପରେ ଡିଜିପି ଶ୍ରୀ ବଂସଲ୍ ଗୁରୁତ୍ୱାରୋପ କରିଥିଲେ।
ଭୋର୍ ସମୟରୁ ମହାପ୍ରଭୂଙ୍କ ପ୍ରାମାଣିକ ଦର୍ଶନ ଠାରୁ ଆରମ୍ଭ କରି ପହଣ୍ଡି, ଗଜପତି ମହାରାଜାଙ୍କ ଆଗମନ, ହାତୀ ବେଶ, ଭୋଗ ଏବଂ ସାହାଣ ମେଲା ଭଳି ନୀତି ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ନୀତି ଅନୁଯାୟୀ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସ୍ନାନ ବେଦୀ ନିକଟକୁ ଭକ୍ତଙ୍କୁ ବାରଣ, ଜନଗହଳି ସମୟରେ ଆଇନ୍ ଓ ଶୃଙ୍ଖଳା ପରିସ୍ଥିତି ଏବଂ ଜନଗହଳି ସମୟରେ ଅପରାଧକୁ ଦମନ ଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଶ୍ରୀ ଆର୍‌.କେ ଶର୍ମା ମତବ୍ୟକ୍ତ କରିଥିଲେ। ଏହାବ୍ୟତୀତ ଟ୍ରାଫିକ୍ ବ୍ୟବସ୍ଥା ସୁପରିଚାଳନା, ତୀର୍ଥଯାତ୍ରୀଙ୍କ ଆଗମନ, ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ଭଳି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା। ଏହାସହ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ଏବଂ ବାହାରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଇଜି କେନ୍ଦ୍ରାଂଚଳ ଶ୍ରୀ ଭୋଳ କହିଥିଲେ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ନିମନ୍ତେ ୩ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସ୍‌ପି, ୧୪ ଡିଏସ୍‌ପି, ୩୦ ଇନ୍‌ସପେକ୍ଟର ଏବଂ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।